ଭୁବନେଶ୍ୱର : ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ । ମା’ଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶହରା ପର୍ବ ପାଳନ କରାଯାଉଥିବା ବେଳେ ପୂଜାମଣ୍ଡପଗୁଡ଼ିକରେ ମହାନବମୀ ପୂଜାର ଆୟୋଜନ ହେଉଛି । ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ମୁଖରିତ ହେଉଛି ପୂଜା ପରିବେଶ । ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।
ଓଡ଼ିଶାରେ ଶକ୍ତିପୀଠ ଓ ସାର୍ବଜନୀନ ପୂଜାମଣ୍ଡପରେ ଦୁର୍ଗାପୂଜାର ନୀତିକାନ୍ତିରେ ପାର୍ଥକ୍ୟ ରହିଛି। ଶକ୍ତିପୀଠଗୁଡ଼ିକରେ ଦେବୀଙ୍କ ପାରମ୍ପରିକ ପୂଜାବିଧି ଅନୁଯାୟୀ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେଉଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦୁର୍ଗାଙ୍କ ମହାନବମୀ ଆରାଧନା କରାଯାଉଛି । ନବମୀ ଅବସରରେ ବିଧି ଅନୁସାରେ ହୋମଯଜ୍ଞ, ଚଣ୍ଡୀପାଠ, ପୁଷ୍ପାଞ୍ଜଳି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେବେ ଚଳିତବର୍ଷ ଦଶହରା ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ମତଭେଦ ରହିଛି । ପଞ୍ଜିକା ଗଣନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧୨ଟା ୫୦ ମିନିଟ୍ ରୁ ଦଶମୀ ତିଥି ଆରମ୍ଭ ହୋଇ ଆସନ୍ତାକାଲି ଅପରାହ୍ନ ପ୍ରାୟ ୨ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିବ ।
ଏହି ତିଥି ଗଣନା ଓ ପୂଜା ପରମ୍ପରା ଆଧାରରେ କଟକର ପୂଜା କମିଟିଗୁଡ଼ିକ ଅକ୍ଟୋବର ୨୧ରେ ବିଜୟାଦଶମୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି କଟକରେ ଅକ୍ଟୋବର ୨୨ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ପରମ୍ପରା ଓ ପଞ୍ଜିକା ଅନୁଯାୟୀ ଦଶହରା ନୀତି ପାଳନ କରାଯାଉଛି । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଆକର୍ଷଣୀୟ ତୋରଣ, ସୁସଜ୍ଜିତ ମେଢ଼ ଓ ଆଲୋକସଜ୍ଜା ପୂଜାର ଆକର୍ଷଣ ବଢ଼ାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି । ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ବିଜୟାଦଶମୀ । ଶକ୍ତିପୀଠରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କ ଆରାଧନାରେ ଏବେ ଉତ୍ସବମୁଖର ସାରା ଓଡ଼ିଶା ।
