ପୁରୀ (ଭିଓଭି): ମୃତ୍ୟୁ ଏମିତି ବି ଆସେ! ଗତ ବୁଧବାର ଦିନ କୋଲକାତା ସ୍ଥିତ ଗଙ୍ଗା(ହୁଗୁଳି) ନଦୀରେ ସ୍ନାନ କରି ତର୍ପଣ କରୁଥିବା ସମୟରେ ଅସାବଧାନତା ବଶତଃ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ପୁରୀର ଲୋକପ୍ରିୟ ସମାଜସେବୀ ତଥା ମାରୁତି ସେନା ସ୍ଵେଚ୍ଛାସେବୀ ସଂଗଠନର ପୂର୍ବତନ ଜିଲ୍ଲା ସଭାପତି ଦେବ ପ୍ରସାଦ ମିଶ୍ର। ସ୍ଵର୍ଗତଃ ମିଶ୍ର ଙ୍କ ଜନ୍ମ ପୁରୀ ନିକଟବର୍ତ୍ତୀ ବ୍ରହ୍ମଗିରି ରେ। କୁନା ଭାଇ ନାମରେ ସେ ବେଶ୍ ପରିଚିତ। ପିଲା ଠାରୁ ବୟସ୍କ ସମସ୍ତଙ୍କର ସେ ପ୍ରିୟପାତ୍ର। ଛାତ୍ର ରାଜନୀତି ରୁ ଆରମ୍ଭ କରି ସମାଜ ସେବା ଆଦିରେ ସେ ଜଣେ ଚର୍ଚିତ ଚେହେରା।

ତାଙ୍କର ଅକାଳ ବିୟୋଗରେ ପୁରୀ ତଥା ବ୍ରହ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୀ ସାଂସଦ ଡାଃ ସମ୍ବିତ୍ ପାତ୍ର ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମାରୁତି ସେନା ମୁଖ୍ୟ କାର୍ଯ୍ୟାଳୟରେ କୁନା ମିଶ୍ର ଙ୍କର ବିୟୋଗରେ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାରୁତି ସେନା ରାଜ୍ୟ ସଭାପତି, ପପୁ ଦଳବେହେରା, ଜିଲ୍ଲା ସଭାପତି ବଳରାମ ବାରିକି, ଜଗବନ୍ଧୁ ଦାସ, ସୁଦର୍ଶନ ନାୟକ, ପ୍ରତିମା ମିଶ୍ର, ଅନୁରାଧା ପଣ୍ଡା, ସସ୍ମିତା ବେଜ, ସ୍ମିତା ପାତ୍ର, ଜୟଶ୍ରୀ ପlଢି, ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତଃ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
