ରଣପୁର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଠାରେ ଅନୁଷ୍ଠିତ ପୂର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରୁଷ ହକି ପ୍ରତିଯୋଗିତା-୨୦୨୬ (East Zone Inter University Hockey Tournament 2026) ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳରେ ରଣପୁର ମହାବିଦ୍ୟାଳୟର ଚାରି ଜଣ ପ୍ରତିଭାବାନ ଛାତ୍ର ସ୍ଥାନ ହାସଲ କରି ସମଗ୍ର ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଚଳିତ ଅକ୍ଟୋବର ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ସ୍ପୋର୍ଟ୍ସ ବୋର୍ଡ଼ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରୁଥିବା ଦଳରେ ରଣପୁର ମହାବିଦ୍ୟାଳୟର ସଚ୍ଚିଦାନନ୍ଦ ପ୍ରଧାନ, ସୁବାଷ ମୁଦୁଲି, ସୌମ୍ୟରଞ୍ଜନ ଜେନା ଏବଂ ଝୁମର କୁମାର ସାହୁ ସ୍ଥାନ ପାଇଛନ୍ତି।
ଜାତୀୟ ତଥା ଆଞ୍ଚଳିକ ସ୍ତରରେ ରଣପୁର ମାଟିର ଏହି ଯୁବ ପ୍ରତିଭାମାନଙ୍କର ସଫଳତା ସମଗ୍ର ନୟାଗଡ଼ ଜିଲ୍ଲା ଏବଂ ରଣପୁର ମହାବିଦ୍ୟାଳୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ। ସେମାନଙ୍କର ଏହି ଚମତ୍କାର ସଫଳତା ପାଇଁ ଅଞ୍ଚଳର ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
