ନୂଆଦିଲ୍ଲୀ: ଏଣିକି ମଦ ଦୋକାନରେ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବନି। ଘରେ ବସି ମୋବାଇଲ୍ ଆପ୍ ମାଧ୍ୟମରେ ନିଜ ପସନ୍ଦର ମଦ ବ୍ରାଣ୍ଡ ବାଛି ବୁକିଂ କରିପାରିବେ ଗ୍ରାହକ। ଦିଲ୍ଲୀରେ ଆରମ୍ଭ ହୋଇଛି ଏଭଳି ଏକ ନୂଆ ସୁବିଧା। ଦିଲ୍ଲୀ ରାଜ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ନିଗମ (DSIIDC) ପକ୍ଷରୁ ଅକ୍ଟୋବର ୨୦୨୬ରେ ଦୀପାବଳି ପୂର୍ବରୁ ଏହି ମଦ ବୁକିଂ ଆପ୍ ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଆପ୍ର ନାଁ ଶୁଣି ଘରେ ମଦ ପହଞ୍ଚିଯିବ ବୋଲି ଭାବୁଥିଲେ ସାବଧାନ! ଏହା ହୋମ୍ ଡେଲିଭରି ସେବା ନୁହେଁ। ଗ୍ରାହକମାନେ ଅନଲାଇନ୍ରେ ବୁକିଂ କରିବା ପରେ ନିଜେ ଦୋକାନକୁ ଯାଇ ମଦ ସଂଗ୍ରହ କରିବାକୁ ପଡ଼ିବ।
୨୦୮ଟି ମଦ ଦୋକାନରୁ କରିପାରିବେ ବୁକିଂ
ଏହି ନୂଆ ସୁବିଧା ଅଧୀନରେ ବର୍ତ୍ତମାନ DSIIDC ଦ୍ୱାରା ପରିଚାଳିତ ୨୦୮ଟି ମଦ ଦୋକାନରୁ ବୁକିଂ କରାଯାଇପାରିବ। ଆପ୍ରେ ଉପଲବ୍ଧ ମଦ ବ୍ରାଣ୍ଡ, ବୋତଲର ଆକାର ଓ ସଂଖ୍ୟା ଦେଖି ଗ୍ରାହକ ନିଜ ପସନ୍ଦ ଅନୁସାରେ ଚୟନ କରିପାରିବେ। ଏହାପରେ ନିଜ ସୁବିଧା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଦୋକାନ ବାଛି ଅନଲାଇନ୍ରେ ଟଙ୍କା ପୈଠ କରିବାକୁ ହେବ। ଦେୟ ପ୍ରକ୍ରିୟା ଶେଷ ହେବା ପରେ ବୁକିଂ ସମ୍ପର୍କିତ QR କୋଡ୍ ଆପ୍ରେ ମିଳିବ।
୪୮ ଘଣ୍ଟା ଭିତରେ ନ ନେଲେ ବାତିଲ୍ ହେବ ବୁକିଂ
ଏହି ଆପ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଦ ସଂଗ୍ରହ କରିବାକୁ ହେବ। ବୁକିଂ କରିବାର ୪୮ ଘଣ୍ଟା ମଧ୍ୟରେ ଚୟନ କରିଥିବା ଦୋକାନକୁ ଯାଇ ଅର୍ଡର ନେବାକୁ ପଡ଼ିବ। ନଚେତ୍ ବୁକିଂ ବାତିଲ୍ ହୋଇଯିବ। ଦୋକାନରେ ପହଞ୍ଚିବା ପରେ ଗ୍ରାହକଙ୍କୁ ଆପ୍ରେ ମିଳିଥିବା QR କୋଡ୍ ଦେଖାଇବାକୁ ହେବ। ଦୋକାନ କର୍ମଚାରୀ କୋଡ୍ ସ୍କାନ୍ କରିବା ପରେ ଅର୍ଡର ହସ୍ତାନ୍ତର କରିବେ। ତେଣୁ ବୁକିଂ କରିବା ପରେ ସମୟସୀମା ଉପରେ ଧ୍ୟାନ ଦେବା ଜରୁରୀ।
ନିଜେ ବାତିଲ୍ କରିପାରିବେ କି ଅର୍ଡର?
ଆପ୍ରେ ଦିଆଯାଇଥିବା ବାତିଲ୍ ନିୟମ ଅନୁଯାୟୀ, ମଦ ସଂଗ୍ରହ କରିବା ପୂର୍ବରୁ ଗ୍ରାହକ ନିଜର ବୁକିଂ ବାତିଲ୍ କରିପାରିବେ। ତେବେ ମଦ କିଣି ଦୋକାନରୁ ନେଇସାରିବା ପରେ ଏହାକୁ ଫେରସ୍ତ କରିବାର ସୁବିଧା ନାହିଁ। ଏହି ସୁବିଧା ଦିଲ୍ଲୀର ସମସ୍ତ ମଦ ଦୋକାନରେ ଉପଲବ୍ଧ ନୁହେଁ। ଏହା କେବଳ ନିର୍ଦ୍ଦିଷ୍ଟ DSIIDC ପରିଚାଳିତ ଦୋକାନଗୁଡ଼ିକ ପାଇଁ ଉପଲବ୍ଧ ଥିବାରୁ ଗ୍ରାହକମାନେ ବୁକିଂ ପୂର୍ବରୁ ଆପ୍ରେ ଦୋକାନ ଓ ଉପଲବ୍ଧତା ଯାଞ୍ଚ କରିବା ଉଚିତ।
ମଦ କିଣିବା ପ୍ରକ୍ରିୟା ହେବ ଅଧିକ ସହଜ
ଅନଲାଇନ୍ ବୁକିଂ ବ୍ୟବସ୍ଥା ଫଳରେ ଗ୍ରାହକମାନେ ଦୋକାନକୁ ଯିବା ପୂର୍ବରୁ ନିଜ ପସନ୍ଦର ବ୍ରାଣ୍ଡ ଓ ବୋତଲର ଉପଲବ୍ଧତା ଜାଣିପାରିବେ। ଏହାଦ୍ୱାରା ଦୋକାନରେ ଅଧିକ ସମୟ ଅପେକ୍ଷା କରିବାର ଆବଶ୍ୟକତା କମିପାରେ। ତେବେ ମନେ ରଖନ୍ତୁ, ଏହି ଆପ୍ ମାଧ୍ୟମରେ ବୁକିଂ କଲେ ମଦ ଘରେ ପହଞ୍ଚିବ ନାହିଁ। ଅର୍ଡର ସଂଗ୍ରହ କରିବା ପାଇଁ ନିଜେ ଦୋକାନକୁ ଯିବାକୁ ପଡ଼ିବ। ମଦ କିଣିବା ସମୟରେ ଦିଲ୍ଲୀର ପ୍ରଚଳିତ ଆଇନ ଓ ବୟସ ସମ୍ପର୍କିତ ନିୟମ ପାଳନ କରିବା ମଧ୍ୟ ଜରୁରୀ।
