ଓଡ଼ଗାଁ ୩୧/୧୦: ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନେତୃତ୍ବରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଠାରୁ ସୁନାମୁହଁ ପୂର୍ତ୍ତ ବିଭାଗ ରାସ୍ତାର ଦେଓଗାଁ ଭାଲିଆଡିହି ଠାରେ ରାସ୍ତା ନିର୍ମାଣକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ନିମନ୍ତେ ଦେଓଗାଁ ଏବଂ ଭାଲିଆଡିହି ଗ୍ରାମ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଓଡ଼ଗାଁ ବ୍ଳକ ସଭାଗୃହରେ ଶୁକ୍ରବାର ଏକ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଥିଲା।ବିବାଦୀୟ ସ୍ଥଳରେ ସ୍ଥାୟୀ ରାସ୍ତା ନିର୍ମାଣ ସମ୍ପର୍କରେ ଉଭୟ ଗ୍ରାମବାସୀ ଜିଲ୍ଲା ପ୍ରଶାସକଙ୍କ ନିକଟରେ ନିଜ ନିଜର ପକ୍ଷ ରଖିଥିଲେ।ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯାଉ ବୋଲି ଦେଓଗାଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖାଯାଇଥିଲା।
ବର୍ତ୍ତମାନ ଯାନ ବାହାନ ଗମନାଗମନ କରୁଥିବା ବିଦ୍ୟାଳୟ ସାମନା ଦେଇ ପାଣ୍ଡେରିପଡା ରାସ୍ତାକୁ ସଂଯୋଗ କରିବା ନିମନ୍ତେ ରାସ୍ତା ନିର୍ମାଣ କରାଯାଉ ବୋଲି ଭାଲିଆଡିହି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିଥିଲେ।ଉଭୟଙ୍କ ପକ୍ଷର ଦାବିକୁ ଜିଲ୍ଲା ପ୍ରଶାସନ ଶୁଣିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ଓଜେସି ସଂଖ୍ୟା ୧୧୧୫୮ /୧୯୯୯ ନିର୍ଦ୍ଦେଶ ଅନୁସାରେ ମଞ୍ଜୁର ହୋଇଥିବା ଅର୍ଥରେ ଦେଓଗାଁ ଠାରୁ ପାଣ୍ଡେରିପଡା ରାସ୍ତାକୁ ସଡ଼କ ନିର୍ମାଣ କରାଯିବ। ଏବଂ ଭାଲିଆଡିହି ଗ୍ରାମବାସୀଙ୍କ ପ୍ରସ୍ତାବ କ୍ରମେ ଭାଲିଆଡିହି ଦେଇ ଯାଇଥିବା ରାସ୍ତାକୁ ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜୁରୀ ପାଇଁ ଯୋଜନା ଅଟକଳ ପ୍ରସ୍ତୁତ କରି ଆବଶ୍ୟକ ପ୍ରକ୍ରିୟା ସାରିବା ନିମନ୍ତେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦିଆଗଲା।

ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଖୁବଶୀଘ୍ର ମଞ୍ଜୁର ପ୍ରାପ୍ତ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଏବଂ ଭାଲିଆଡିହି ଗ୍ରାମବାସୀଙ୍କ ଦାବି ଅନୁସାରେ ରାସ୍ତା ନିର୍ମାଣ ବେଳେ ଦେଓଗାଁ ଗ୍ରାମବାସୀଙ୍କ ତରଫରୁ ସହଯୋଗ କରାଯିବା ନିମନ୍ତେ ସର୍ତ୍ତ ରହିଲା। ଉକ୍ତ ନିଷ୍ପିକୁ ସମ୍ମାନ ଜଣାଇ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ, ରାଜସ୍ୱ ନିରୀକ୍ଷକ ସ୍ବାପ୍ନାରାଣୀ ସ୍ବାଇଁ, ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହିତ ଦେଓଗାଁର ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ପତ୍ରରେ ଦସ୍ତଖତ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ରାସ୍ତା ନିର୍ମାଣ ହେଉଥିବା କହି ଭାଲିଆଡିହି ଗ୍ରାମବାସୀଙ୍କ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ପତ୍ରରେ ଦସ୍ତଖତ କଲେନାହିଁ।
ସୂଚନା ଥାଉକି ଦେଓଗାଁ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖୁବଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିବା ସହିତ ଏନେଇ ନୟାଗଡ଼ ଜିଲ୍ଲାପାଳ ଏବଂ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ ଅନସନ ଏବଂ ଧାରଣାରେ ବସିଥିଲେ। ଧାରଣା ଚାଲୁ ରହିଥିବା ବେଳେ ଆଜିର ଶାନ୍ତି ଆଲୋଚନାର ନିଷ୍ପତ୍ତି ପରେ ଧାରଣା ପ୍ରତ୍ୟାହାର ପାଇଁ ଦେଓଗାଁ ଗ୍ରାମବାସୀଙ୍କୁ କହିଥିଲେ। ଅନ୍ୟ ପକ୍ଷରେ ଦେଓଗାଁ ରାସ୍ତା ନିର୍ମାଣକୁ ବିରୋଧ କରୁଥିବା ଭାଲିଆଡିହି ଗ୍ରାମବାସୀ କେଉଁ ପ୍ରକାର ସହଯୋଗ କରିବେ ତାହା ଦେଖିବାକୁ ବାକି ରହିଲା।
