କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ସାଂଘାତିକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଏହି ଆକ୍ରମଣ ଚଳାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ; ପ୍ରାୟ ୨ ଜଣ ଯୁବକ ସରପଞ୍ଚଙ୍କ ବାପା, ଭାଇ ଏବଂ ଜଣେ ସମ୍ପର୍କୀୟଙ୍କୁ ନିର୍ଧୂମ ମାଡ଼ ମାରିବା ସହିତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ବର୍ବର କାଣ୍ଡରେ ଗୁରୁତର ଆହତ ହୋଇଥିବା ତିନିଜଣଙ୍କୁ ପ୍ରଥମେ ଚିକିତ୍ସା କରାଯାଇ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି, ଯେଉଁଠାରେ ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାକୁ ନେଇ ମାର୍ଶାଘାଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
