ରାଜ୍ୟର ଆବାସହୀନ ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସିଖବର। ଆସନ୍ତା ତାରିଖ ୧୪ ରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।
ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ହିତାଧିକାରୀଙ୍କୁ ଘର ବାଣ୍ଟିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । କେବଳ ବଲାଙ୍ଗୀର ନୁହେଁ, ବରଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିସାରିଥିବା ବେଳେ, ଆସନ୍ତା ୧୪ ତାରିଖରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ନୂତନ ଘର ଆବଣ୍ଟନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ବାସହୀନ ପରିବାରଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।
