ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୮୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ନୂତନ ଆହାର କେନ୍ଦ୍ରକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। ଗତ ଅକ୍ଟୋବରରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ସରିଥିବା ଏହି କେନ୍ଦ୍ରରେ ରୋଷେଇ ଘର, ଶୌଚାଳୟ, ଥଣ୍ଡା ପାନୀୟ ଜଳ ଓ ବିଦ୍ୟୁତ ଇନଭର୍ଟର ବ୍ୟବସ୍ଥା ରହିଛି ବୋଲି ବିଭାଗର ଏସ୍ଡିଓ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଉଦଘାଟନ ବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିମନ୍ତ୍ରଣ ସତ୍ତ୍ୱେ ବିଧାୟକ, ବ୍ଲକ ଚେୟାରମ୍ୟାନ ଓ ସରପଞ୍ଚ ଲୋକଙ୍କ କାମରେ ସମୟ ଦେଉନଥିବା କହି ସମାଲୋଚନା କରିଥିଲେ। ଅନ୍ୟପଟେ, ୧୯ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକଙ୍କୁ ନିମନ୍ତ୍ରଣ ନକରିବା ଏବଂ ଫଳକରେ ତାଙ୍କ ନାମ ନଥିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଶ୍ରୀ ମଲ୍ଲିକ ଓ ତାଙ୍କ ସମର୍ଥକମାନେ ସାଂସଦଙ୍କୁ ଘେରି ପ୍ରତିବାଦ କରିବା ପରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ଜଣେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଅଣଦେଖା କରାଯିବାକୁ ନେଇ ବିଭାଗର କାର୍ଯ୍ୟଶୈଳୀକୁ ସମାଲୋଚନା କରାଯାଉଛି। ଏଭଳି କାର୍ଯ୍ୟ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱହୀନତା ଓ ପାତରଅନ୍ତର ନୀତିକୁ ପଦାରେ ପକାଇଛି। ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲ ମାନିବାରେ ବିଭାଗୀୟ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଓ ଚର୍ଚ୍ଚା ଜୋର ଧରିଛି। ଏନେଇ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ କହିଛନ୍ତି ଯେ ଆହାର କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଜିଲ୍ଲା ପରିଷଦ ବୈଠକରେ ପ୍ରସ୍ତାବ ଉଠାଇବା ସହ ବହୁ ଚେଷ୍ଟା କରିଛନ୍ତି। ସାଂସଦ, ବିଧାୟକ, ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଫଳକରେ ଥିବା ବେଳେ ତାଙ୍କ ନାମ ନରହିବା ଓ ନିମନ୍ତ୍ରଣ ନମିଳିବା ଦୁଃଖଦାୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦ୍ୱାରିକାନାଥ ଚୌଧୁରୀ, ନାରାୟଣ ଖୁଣ୍ଟିଆ, ଶୈଳେନ୍ଦ୍ର ଭୋଳ, ବସନ୍ତ ନାୟକ, ଶିବ ମଲ୍ଲିକ, ଅଶୋକ ପଟ୍ଟନାୟକ, ସସ୍ମିତା ପଣ୍ଡା, ରଶ୍ମି ରଞ୍ଜନ ବଳିୟାରସିଂ, ଦିଲ୍ଲୀପ କୁମାର ଓଝା, ଶଶିଭୂଷଣ ପାତ୍ର, ମିର ଅଖତାର ଅଲ୍ଲୀ, ପ୍ରଶାନ୍ତ ସାମନ୍ତରାୟ, ସିଦ୍ଧେଶ୍ୱର ନାଥ, ବିଜୟ ମହାରଣା, ମେଡିକାଲ ସୁପରିଟେଣ୍ଡେଣ୍ଟ ଗାୟତ୍ରୀ ମିଶ୍ର ଏବଂ ବହୁ ମହିଳା ଉପସ୍ଥିତ ଥିଲେ।
