ପୁରୀ(ଭିଓଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରଚେଷ୍ଟାରେ ଦୀଘା ଜଗନ୍ନାଥ ମନ୍ଦିର ରୁ ଧାମ ସବ୍ଦ ହଟିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ପୁରୀ ଠାରେ ଅଦ୍ଭୁତପୂର୍ବ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାନ ତରଫରୁ ପୁରୀ ଟାଉନ୍ ହଲ୍ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ଠାରେ ପହଁଞ୍ଚିବା ପରେ ତାଙ୍କୁ ବାଜା, ବାଣ, ପାଇକ ଆଖଡା, କଣ୍ଢେଇ ନାଚ, ଘୋଡା ନାଚ ଆଦି ରୋଷଣୀରେ ଟାଉନ୍ ହଲ୍ ପାର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସେଠାରେ ସଭା ମଞ୍ଚରେ ଶ୍ରୀମନ୍ଦିର ପ୍ରଶାସନ ର ସମସ୍ତ କର୍ମକର୍ତ୍ତା, ଶ୍ରୀମନ୍ଦିର ର ସମସ୍ତ ନିଯୋଗ କର୍ମକର୍ତ୍ତା, ବିଭିନ୍ନ ମଠ ର ମଠାଧୀଶ ଏବଂ ଅନେକ ସାଧୁସନ୍ଥଙ୍କ ସମେତ ପୁରୀ ସହରର ଶତାଧିକ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ, ମହିଳା ସଂଗଠନ, ବରିଷ୍ଠ ନାଗରିକ ମଞ୍ଚ ର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥ ଙ୍କ ବିଭିନ୍ନ ଫଟୋ ଏବଂ ମୂର୍ତ୍ତି ଇତ୍ୟାଦି ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭା ମଞ୍ଚରେ ପୁରୀ ସାଂସଦ ଡାଃ ସମ୍ବିତ୍ ପାତ୍ର, ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ଜଗତ୍ସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲା ବିଜେପି ସଭାପତି ଡାଃ ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନର ସଭାପତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପୁରୀ ମହାନଗର ନିଗମ ଆୟୁକ୍ତ ସ୍ନେହା ଅରୁଗୁଳା ଯୋଗଦେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ର ସୁରକ୍ଷା ଏବଂ ପରିଚାଳନା ବ୍ୟବସ୍ଥା ତଦାରଖ କରିଥିଲେ।
