ଭୁବନେଶ୍ୱର, 28/4: ଓଡିଶା ରାଜ୍ୟ ପୂର୍ବତନ ସୈନିକ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭଵନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସଭାପତି ବ୍ରିଗେଡିୟାର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଲେପଟନାଣ୍ଟ ଜେନେରାଲ ଏନପି ପାଢ଼ୀ, ଲେପଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ଏଆର ମାର୍ସଲ ଜେ ଏନ ବର୍ମା ପ୍ରମୁଖ ପୃଷ୍ଠପୋଷକ (ପେଟ୍ରନ ), ଭାରତୀୟ ବିଦ୍ୟା ଭବନ ଚେୟାରମ୍ୟାନ ଲେପଟନାଣ୍ଟ ଜେନେରାଲ ଜେକେ ମହାନ୍ତି, ଭାରତୀୟ ବିଦ୍ୟା ଭବନ ଭାଇସ ଚେୟାରମ୍ୟାନ କର୍ଣ୍ଣଲ ଶ୍ରୀପ୍ରକାଶ ପାଣି ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ | ସାଧାରଣ ସମ୍ପାଦକ କର୍ଣ୍ଣଲ ଡାକ୍ତର ପ୍ରଶାନ୍ତ କୁମାର ସିଂ ବାର୍ଷିକ ବିବରଣୀ ପାଠ କରିବା ସହିତ ଆୟ ବ୍ୟୟ ଚିଠା ଉପସ୍ଥାପନ କରିଥିଲେ | ସଭାପତି ବ୍ରିଗେଡିୟାର ପ୍ରଧାନ ନିଜ ଅଭିଭାଷଣରେ ଭୁବନେଶ୍ୱରରେ ଏକ ଭେଟେରାନ ହସ୍ପିଟାଲ ସହିତ ରାଉରକେଲା ଓ କଟକରେ ସ୍ୱାସ୍ଥ୍ୟ ସେବା ପାଇଁ ଖୁବଶୀଘ୍ର ଇସିଏଚଏସ ଖୋଲିବା ନିମନ୍ତେ ଅନୁମୋଦନ ଲାଭ କରିଥିବା ସୂଚନା ଦେଇଥିଲେ | ସେହିପରି ଅଗ୍ନିବୀର ନିଯୁକ୍ତି ପାଇଁ ଚଳିତ ବର୍ଷ ପାଖାପାଖି 2000 ଯୁବକ ଯୁବତୀ ଆଗେଇ ଆସିବ ଏକ ଶୁଭଙ୍କର ସଂକେତ ହୋଇଥିବା ବେଳେ ଏଥିପାଇଁ ରାଜ୍ୟରେ ବ୍ଲକ ସ୍ତରରୁ ଖେଳ ଶିକ୍ଷକ ଓ ଏନସିସି ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଥିଲେ |
ଏନଡିଏ ଏଣ୍ଟ୍ରିରେ ସଂଖ୍ୟା ବୃଦ୍ଧି କରିବାକୁ ଯୋଥ ମାନଙ୍କୁ ପ୍ରସ୍ତୁତ କରିବାକୁ ଉଦ୍ୟମ କରିବାକୁ ଗୁରୁତ୍ୱାରୋପ କରିଥିଲେ | ଇସିଏଚଏସରେ ମେଡିସିନି କିଣିବା ପାଇଁ ଜନ ଔଷଧି ଦୋକାନ ଖୋଲିବା ସହିତ ଏହାକୁ 5 ଲକ୍ଷ ବୃଦ୍ଧି ହୋଇଥିବା ବେଳେ ଷ୍ଟେଟ ବ୍ୟାଙ୍କ ଗୋଟିଏ ଆମ୍ବୁଲାନ୍ସ ପ୍ରଦାନ କରିଥିବା କହିଥିଲେ | ରାଜଧାନୀରେ ଆବଶ୍ୟକ ଦୃଷ୍ଟିରୁ କ୍ୟାଣ୍ଟିନ ସିଷ୍ଟମରେ ବ୍ୟାପକ ସୁଧାର ଆଣିବାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ରାଜ୍ୟ ସୈନିକ ବୋର୍ଡ ସମ୍ପାଦକ କମାଡୋର ଘନଶ୍ୟାମ ଓଝା ଭେଟେରାନ ପିଲାଙ୍କ ନିମନ୍ତେ ମେଡିକାଲ ସିଟ ପାଇଁ ଉଦିଷ୍ଟ 3 % ସଂରକ୍ଷଣ ହାସଲ କରିବା ସହିତ ସମସ୍ତ କଲ୍ୟାଣ ମୂଳକ ବ୍ୟବସ୍ଥା ଅନ ଲାଇନ ହାସଲ କରିପାରିବେ ବୋଲି କହିଥିଲେ | ଏତଦବ୍ୟତୀତ ଚିକିତ୍ସା କିମ୍ବା କୌଣସି କାମରେ ଭୁବନେଶ୍ୱର ଆସୁଥିବା ଭେଟେରାନ ସୈନିକ ଭବନ ସୁବିଧା ନେବାକୁ କହିଥିଲେ | ଲିଗାଲ ସେଲ ସଦସ୍ୟ କଟକ ସୈନିକ ଭଵନ ପରିସରରେ ଅନୁମୋଦିତ ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲ ସର୍କିଟ ବେଞ୍ଚ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରଖିଥିଲେ | ପୁରୀ ଜିଲ୍ଲା ସଦସ୍ୟ ଭାସ୍କର ପରିଡା ଭେଟେରାନଙ୍କ ସୁରକ୍ଷା ପାଇଁ ଖୋଲା ଯାଇଥିବା 155306 ହେଲ୍ପ ଲାଇନ ନମ୍ବରକୁ କାର୍ଯ୍ୟକ୍ଷମ କରିବା ସହିତ ଜିଲ୍ଲା ପୋଲିସ ଭେଟେରାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଯତ୍ନବାନ ହେବାକୁ କହିଥିଲେ |
ଅନ୍ୟପକ୍ଷେ ରାଜ୍ୟରେ ସମସ୍ତ ଜିଲ୍ଲା ସୈନିକ ବୋର୍ଡ ଅଫିସରେ ବର୍ଷ ବର୍ଷ ହେଲା ଖାଲି ପଡ଼ିଥିବା ସମ୍ପାଦକ ଓ କର୍ମଚାରୀ ପଦବୀ ପୂରଣ କରିବା ଓ ସୈନିକ ସଙ୍ଘ କାର୍ଯ୍ୟାଳୟ ନିମନ୍ତେ ରାଜ୍ୟ ରାଜଧାନୀରେ ଏକ ସରକାରୀ ଗୃହ ଯୋଗାଇବା ସହିତ ସୈନିକ କଲ୍ୟାଣକୁ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା |ବରିଷ୍ଠ ସଦସ୍ୟ ଗୋଦାବରୀଶ ମହାପାତ୍ର, ଉପ ସଭାପତି ପ୍ରଶାନ୍ତ କୁମାର ଦାଶ, କର୍ଣ୍ଣଲ ପ୍ରଦ୍ୟୁମ୍ନ ପ୍ରଧାନ, ମିଡ଼ିଆ ସେଲ ତରଫରୁ ଭେଟେରାନ ଆଦର୍ଶ କୁମାର ପଟ୍ଟନାୟକ ଓ ନୃସିଂହ ଚରଣ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଆଗାମୀ ଦିନରେ ପୂର୍ବତନ ସୈନିକ ଓ ସେମାନଙ୍କ ପିଲାଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣ ମୁଳକ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଭାରତୀୟ ବିଦ୍ୟା ଭବନ ସମ୍ପର୍କୀୟ ବିବରଣୀ ପ୍ରଦାନ ସମୟରେ କର୍ଣ୍ଣଲ ପାଣି ସ୍ଵଚନା ଦେଇଥିଲେ | ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଶତାଧିକ କାର୍ଯ୍ୟକର୍ତା ଅଂଶଗ୍ରହଣ କରିଥିବା ବେଳେ ମଂଚାସୀନ ସମେତ କେତେକ ବରିଷ୍ଠଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଭେଟେରାନ ପ୍ରଦୀପ କୁମାର ଗିରି ଓ ମାନସ କୁମାର ଶତପଥୀ ଭାରତୀୟ ବିଦ୍ୟା ଭବନ କର୍ମକର୍ତାଙ୍କ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସଭା ପ୍ରାରମ୍ଭରେ ଦିବଂଗତଙ୍କ ଆତ୍ମାର ସଦଗତି ନିମନ୍ତେ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଶେଷରେ ସମଵେତ ଜାତୀୟ ସଂଗୀତ ଗାନ କରାଯାଇଥିଲା |
