ନୂଆଦିଲ୍ଲୀ: ଅନ୍ତରୀକ୍ଷ କେନ୍ଦ୍ର ଯାତ୍ରା କଲେ ଶୁଭାଂଶୁ ଶୁକ୍ଲା । ୬ ଥର ଘୁଞ୍ଚିବା ପରେ ମହାକାଶକୁ ଗଲେ ଶୁଭାଂଶୁ ଶୁକ୍ଲା । ଲଞ୍ଚ ହେଲା ଆକ୍ସିଅମ୍ -୪ ମିଶନ। ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହେଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଛି । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ ରଖାଯାଇଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନରେ ଯାଇଛନ୍ତି ସମସ୍ତ ମହାକାଶଚାରୀ ।

ସେମାନେ ମହାକାଶରେ ୬୦ ରୁ ଅଧିକ ପରୀକ୍ଷଣ କରିବେ । କ୍ୟାନସର ଗବେଷଣା, ୩ ଡି ପ୍ରିଣ୍ଟିଂ, ଡିଏନଏ ରିପେୟାର ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ଆଦି ଉପରେ ପରୀକ୍ଷଣ କରିବେ। ଏହି ଗବେଷଣା ୩୧ ଟି ଦେଶ ପାଇଁ କରାଯିବ। ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ। ଅକ୍ସିଅମ୍ ସ୍ପେସ୍, ସ୍ପେସ୍ X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ। ୧୯୮୪ରେ ମହାକାଶ ଯାତ୍ରା କରିଥିଲେ ରାକେଶ ଶର୍ମା । ୪୦ ବର୍ଷ ପରେ ଭାରତର ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ । ଗ୍ରୁପ କ୍ୟାପଟେନ ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି ।
