ଭୁବନେଶ୍ବର : ବାଲିଅନ୍ତା ମବ ଲିଞ୍ଚିଂ ଅର୍ଥାତ୍ ଭିଡ଼ ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ କ୍ଷୁବ୍ଧ । ଏପରିସ୍ଥିତିରେ ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ସଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ପୋଲିସ ଡିଜିଙ୍କୁ କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପଶ୍ଚିମବଙ୍ଗରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏକ ଜରୁରୀକାଳୀନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହିଂସା ବା ମବ ଲିଞ୍ଚିଂ ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହିତ ସବିସ୍ତୃତ ଆଲୋଚନା କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଏହା ପରେ କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ଘଟଣାର ସଠିକ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଦୃଢ଼ କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର, ଟ୍ଵିନ ସିଟି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଓ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ଗୁରୁବାର ପୂର୍ବାହ୍ନରେ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ସ୍ଥାନୀୟ ଲୋକେ ପିଟି ପିଟି ହତ୍ୟା କରିଥିଲେ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଘବଦ୍ଧ ଆକ୍ରମଣରେ ଜିଆରପି କନେଷ୍ଟବଳ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଖୋଳତାଡ ଜାରି ରଖିଛି । ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଜାତୀୟ ସ୍ତରରେ ଓଡ଼ିଶା ଏହି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ।
