ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । କାହିଁକି ଆସିଲେ ନାହିଁ କି କାହିିଁକି ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି । ବର୍ଦ୍ଧିତ ଦରମା ନ ନେବା କେବଳ ରାଜନୀତି ।
ସେହିପରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି ।ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ ବିଜେଡି କାହିଁକି ସମର୍ଥନ କଲା ପଚାରିଲେ ।
ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି । ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ। ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢିବା ଠିକ୍, କାରଣ ପଇସା ନାହିଁ ।ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ ।
ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ କହିଥିଲେ ଯେ, ସେ ବର୍ଦ୍ଧିତ ଦରମା ନେବେନି । ବର୍ଦ୍ଧିତ ଦରମାକୁ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି।
