ବାଲେଶ୍ଵର (ଭିଓଭି):- ନୀଳଗିରି ବ୍ଲକର ଶ୍ରୀପତି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି – ୨୦୨୬ ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାର ବିକାଶ ସହ ଜୀବନରେ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ । ବ୍ଲକର ୧୯ କ୍ଲଷ୍ଟରକୁ ୩୫୦ ଜଣ ଛାତ୍ରଛାତ୍ରୀ ବକ୍ତୃତା, ନୃତ୍ୟ, ସଙ୍ଗୀତ, ସାଧାରଣ ଜ୍ଞାନ, ପୋଷଣ ଏବଂ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷାଧିକାରୀ ଓ ଶିକ୍ଷକ ମାନେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ ପାଇଁ ଚୟନ କରାଯାଇଛି ।
