କଟକ: କ୍ୟାଟ ବାର୍ ଆସୋସିଏସନ୍, କଟକ ପକ୍ଷରୁ ବାର୍ ଆସୋସିଏସନ୍ ପରିସରରେ “Constitutional Protection v. Administrative Discipline” (ସାମ୍ବିଧାନିକ ସୁରକ୍ଷା ବନାମ ପ୍ରଶାସନିକ ଶୃଙ୍ଖଳା) ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଶଶିକାନ୍ତ ମିଶ୍ର ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ନିଜର ମତାମତ ଓ ଅଭିଭାଷଣ ରଖିଥିଲେ। କ୍ୟାଟ କଟକ ବେଞ୍ଚର ମାନ୍ୟବର ଜୁଡ଼ିସିଆଲ ସଦସ୍ୟ ଶ୍ରୀ ସୁଧି ରଞ୍ଜନ ମିଶ୍ର ଏବଂ ପ୍ରଶାସନିକ ସଦସ୍ୟ ଶ୍ରୀ ପ୍ରମୋଦ କୁମାର ଦାସ ମଧ୍ୟ ଆଲୋଚନାଚକ୍ରରେ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କ୍ୟାଟ ବାର୍ ଆସୋସିଏସନ୍ର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ବେହେରା ସଭାପତିତ୍ୱ କରିଥିବାବେଳେ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଆସୋସିଏସନ୍ର ବରିଷ୍ଠ ସଦସ୍ୟ ଶ୍ରୀ କୈଳାସ ଚନ୍ଦ୍ର କାନୁନଗୋ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କ୍ୟାଟ ବାର୍ ଆସୋସିଏସନ୍ର ନୂତନ ଲୋଗୋ ମାନ୍ୟବର ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ କରାଯାଇଥିଲା। ଏହାପରେ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାରେ ଶୃଙ୍ଖଳାର ଆବଶ୍ୟକତା ମଧ୍ୟରେ ସମନ୍ୱୟ ସ୍ଥାପନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଆଇନ ଓ ପ୍ରଶାସନିକ ବ୍ୟବସ୍ଥା ସହ ଜଡ଼ିତ ଏହି ବିଷୟ ଉପରେ ଉପସ୍ଥିତ ଆଇନଜୀବୀ ଓ ସଦସ୍ୟମାନଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ କ୍ୟାଟ ବାର ସମ୍ପାଦକ ଶ୍ରୀ ରମାକାନ୍ତ ସାହୁ କୁମାର ବେହେରା ଉପସଂହାର ଅଭିଭାଷଣ ରଖିଥିବାବେଳେ ଉପସଭାପତି ଶ୍ରୀ ପ୍ରଭାସ ରଞ୍ଜନ ଜୀବନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ ସଭାମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ କ୍ୟାଟ ବାର ସମେତ ଅନ୍ୟାନ୍ୟ ବାର ଆସୋସିଏସନ ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ।
