ତାମିଲନାଡୁ : ତାମିଲନାଡୁରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ତାମିଲନାଡୁ ରାଜନୀତିରେ ରାଜନୈତିକ ଉତ୍ତେଜନା ବୁଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ TVK ଦଳକୁ ବାହାରୁ ସମର୍ଥନ କରୁଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଖୋଲାଖୋଲି ଭାବରେ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି । ଏହାରି ମଧ୍ୟରେ ସିପିଆଇ ସ୍ପଷ୍ଟ କରିଛି ଯେ, ଯଦି ଟିଭିକେ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍କେ ସହିତ କୌଣସି ବୁଝାମଣା କରେ କିମ୍ବା ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚେଷ୍ଟା କରେ, ତେବେ ସେମାନେ ସେମାନଙ୍କର ନିଷ୍ପତ୍ତିର ପୁନର୍ବିଚାର କରିବେ ।
ବରିଷ୍ଠ ସିପିଆଇ-ଏମ୍ ନେତା ପି ଶନମୁଗମ ବିଜୟଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇଦେଇଛନ୍ତି । ଏଥିସହ ସେ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ତାମିଲନାଡୁର ଲୋକମାନେ ଏଥର ଶାସକ ଡିଏମକେ ଏବଂ ପୂର୍ବତନ ଏଆଇଏଡିଏମକେ ଉଭୟଙ୍କ ବିରୋଧରେ ଏକ ସ୍ପଷ୍ଟ ଏବଂ ନୂତନ ଜନାଦେଶ ଦେଇଛନ୍ତି । ବାମ ଦଳ ଏବଂ ଭିସିକେ କେବଳ ରାଜ୍ୟରେ ନିର୍ବାଚିତ ସରକାର ସୁନିଶ୍ଚିତ କରିବା ପାଇଁ ବାହାରର ସମର୍ଥନ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ ।
ସେପଟେ ବିଜୟଙ୍କୁ ଟାର୍ଗେଟ କରି ସିପିଆଇ ଏମ୍ ନେତା କହିଛନ୍ତି ଯେ, ଶାସନକୁ ସମ୍ପୂର୍ଣ୍ଣ ସଫା କରିବାକୁ ଏବଂ ଦୁର୍ନୀତିମୁକ୍ତ ବିକଳ୍ପ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯଦି ସେ ସରକାର ଗଠନ କରିବାକୁ ଏଆଇଏଡିଏମ୍କେ ଦଳକୁ ସାହାରା ଦିଅନ୍ତି କିମ୍ବା ସେମାନଙ୍କ ନେତାଙ୍କୂ କ୍ୟାବିନେଟ୍ ମନ୍ତ୍ରୀ ପାଇଁ ପଦବୀ ଦିଅନ୍ତି ତେବେ ଏହା ତାମିଲନାଡୁ ଲୋକଙ୍କ ସହ ଧୋକା ଏବଂ ଜନାଦେଶର ଅପମାନ ହେବ ।
ଅନ୍ୟପଟେ ସେ ଏହା ମଧ୍ୟ ଆଶା କରି କହିଛନ୍ତି ଯେ, ମୁଁ ନିଶ୍ଚିତ ଟିଭିକେ ନେତୃତ୍ୱ ଏହି ସୀମାକୁ ଯିବେ ନାହିଁ । ଯଦି ସେମାନେ ଏଆଇଏଡିଏମକେ ଦଳକୁ ସରକାର ଗଠନରେ ସାମିଲ କରନ୍ତି କିମ୍ବା ସେମାନଙ୍କ ସହାୟତାରେ ସରକାର ଚଳାଇବାକୁ କୌଣସି ପ୍ରୟାସ କରନ୍ତି, ତେବେ ସିପିଆଇ(ଏମ୍) ନିଶ୍ଚିତ ଭାବରେ ଏହାର ସମର୍ଥନକୁ ପୁନର୍ବିଚାର କରିବ । ଏହି ବୟାନ ସାମ୍ନାକୁ ଆସିବା ପରେ ତାମିଲନାଡୁର ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଛି ଏବଂ ସମସ୍ତଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନିବଦ୍ଧ ।
