ଭୁବନେଶ୍ୱର (ଭିଓଭି): ଶ୍ରୀମହାପ୍ରସାଦ କଥା ମନକୁ ଆସିଲେ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ପରେ ଦ୍ୱିତୀୟ ଆନନ୍ଦ ବଜାର ହେଉଛି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର । ତେରଶହ ଶତାବ୍ଦିରେ ଗଙ୍ଗବଂଶର ରାଣୀ ଚନ୍ଦ୍ରିକାଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭଗବାନ ବିଷ୍ଣୁଙ୍କର ଏହି ମନ୍ଦିରଟି ଶ୍ରୀ ଲିଙ୍ଗରାଜ ମନ୍ଦିରର ଅନତି ଦୂରରେ ବିନ୍ଦୁ ସରୋବର ନିକଟରେ ଅବସ୍ଥିତ । ମନ୍ଦିରର ଐତିହ ବହୁ ପ୍ରାଚୀନ ଏବଂ ମନ୍ଦିରଟି କାରୁକାର୍ଯ୍ୟପୂର୍ଣ୍ଣ । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଏହି ମନ୍ଦିରକୁ ପରିଦର୍ଶନ କରିଥାନ୍ତି । ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଏଠାକାର ମହାପ୍ରସାଦ । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଓଡ଼ିଶା ତଥା ଓଡ଼ିଶା ବାହାରର ହଜାର ହଜାର ଭକ୍ତ ମଧ୍ୟ ଏଠାରେ ମହାପ୍ରସାଦ ସେବନ କରିଥାନ୍ତି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ଭଳି ଏଠାରେ ଅବିକଳ ଢ଼ାଂଚାରେ କୁଢ଼ୁଆରେ ପ୍ରସ୍ତୁତ ମହାପ୍ରସାଦ ବିକ୍ରି କରାଯାଇଥାଏ । ଭକ୍ତଟିଏ ଏଠାରୁ ଅବଢ଼ା ପ୍ରସାଦ ଟିକେ ପାଇ ଆତ୍ମତୃପ୍ତି ଲାଭ କରିଥାଏ । ପୁରୁଣା ଲୋକମାନେ କୁହନ୍ତି ଏବେ ସିନା ଛତୁ ଫୁଟିବା ପରି ଚାରିଆଡେ ହୋଟେଲ ଖୋଲି ଗଲାଣି । କିନ୍ତୁ ସେତେବେଳେ ଭୁବନେଶ୍ୱରରେ ଶ୍ରମିକଟିଏ ହେଉ କି କଲେଜ ପଢ଼ିବା ପିଲା କି କୋଉ ଅଫିସ୍ ମହଲରେ ଚାକିରି କରୁଥିବା କର୍ମଚାରୀଟିଏ ହେଉ ଦ୍ୱିପ୍ରହର ଖାଇବା ବେଳ ହେଲେ ଆସି ପହଁଚି ଯାଆନ୍ତି ଅନନ୍ତ ବାସୁଦେବ ମନ୍ଦିରରେ । ଆନନ୍ଦ ବଜାରରେ ଅବଢ଼ା ଦି ମୁଠା ଖାଇ ଭୋକ ମେଂଟାଇ ଆତ୍ମତୃପ୍ତି ରେ ଯାଆନ୍ତି । ସେତେବେଳେ ଅନନ୍ତବାସୁଦେବ ମନ୍ଦିରରେ ବି ଖୁବ୍ କମ୍ ଦରରେ ଦି ମୁଠା ଖାଇବାକୁ ମିଳିଯାଉଥିଲା । ଅନେକ କଲେଜ ପଢ଼ୁଆ ପିଲା ତ, ବାହାରେ ଘରଭଡ଼ା କରି ରହି ଖାଇବା ବ୍ୟବସ୍ଥା ଟିକୁ ଏହି ମନ୍ଦିରରେ କରିଥାନ୍ତି । ପୂଜା, ପର୍ବ ପର୍ବାଣୀରେ ଅନନ୍ତ ବାସୁଦେବଙ୍କ ଅବଢ଼ା ଟିକେ ଘରକୁ ନିଶ୍ଚିନ୍ତ ଆସିଥାଏ । ଭୁବନେଶ୍ୱର ତଥା ଏହାର ଆଖପାଖ ଅଂଚଳର ଲୋକ ମାନଙ୍କର ଘରକୁ ଅତିଥି ଆସିଲେ ମହାପ୍ରସାଦ ଟିକେ ପାଇଁ ହେଉ ବା ବିବାହ, ବ୍ରତ, ଏକାଦଶାହ ଭଳି ଅନେକ କାର୍ଯ୍ୟକ୍ରମରେ ମହାପ୍ରସାଦ ଟିକେ ପାଇଁ ଅନନ୍ତ ବାସୁଦେବଙ୍କ ମନ୍ଦିର ଉପରେ ନିର୍ଭର କରିଥାନ୍ତି ।

ଦୈନିକ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଭକ୍ତି ଓ ବିଶ୍ୱାର ସହିତ ଏହି ମନ୍ଦିର ପରିଦର୍ଶନରେ ଆସୁଥିଲେ ମଧ୍ୟ ମନ୍ଦିର ପରିବେଶକୁ ଦେଖିଲେ ମନେହୁଏ ମନ୍ଦିର କତୃପକ୍ଷ ଯେପରି ପରିବେଶ ପରିମଳ ପ୍ରତି ସଂପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ମନ୍ଦିରର ବାହ୍ୟ ପରିବେଶ ଚାକଚକ୍ୟ କରିବା ଭିତରେ ସରକାର ବି ଭୁଲି ଯାଇଛନ୍ତି ମନ୍ଦିର ଭିତରର ଅସ୍ୱାସ୍ଥ୍ୟକର ପରିବେଶକୁ । ମନ୍ଦିର ଆନନ୍ଦ ବଜାରରେ ଚାରିଆଡ଼େ ଭଙ୍ଗା କୁଢ଼ୁଆ କୁ, ମାଛି ଭଣ ଭଣ ପରିବେଶକୁ ଆହୁରି କଦର୍ଯ୍ୟ କରି ପକାଉଛି । ବର୍ଷା ଟିକେ ହୋଇଗଲେ ତ କଥା ସରିଲା । ବର୍ଷା ଦିନେ ଆନନ୍ଦ ବଜାର ସ୍ଥିତି ନକହିବା ଭଲ । ଚାରିଆଡ଼େ କାନ୍ଥ ବାଡ଼ରେ ପାନ ଛେପ । ଏମିତିକି ପାନ ଛେପ ପକାଯାଇଥିବା କାନ୍ଥ ପାଖରେ ଅବଢ଼ା ଥୁଆ ହୋଇ ବିକ୍ରି କରାଯାଉଛି । ଭକ୍ତ ମାନେ ବି ସେଠାରେ ବସି ଅବଢ଼ା ଖାଉଛନ୍ତି। ଏ ସବୁ ଦୃଶ୍ୟ ଦେଖିଲେ ଅବଢ଼ା ଟିକେ ଖାଇବାକୁ ଭକ୍ତି ଓ ଶ୍ରଦ୍ଧାର ସହ ଆସିଥିବା ସାଧାରଣ ଭକ୍ତଟିର ଭକ୍ତି ଭାବନା ଯେ କେଉଁ ସ୍ତରକୁ ଚାଲିଯାଉଥିବ ତାହା ସହଜରେ ଅନୁମେୟ । ସାଧାରଣ ଭକ୍ତଟିଏ କଣ ବା ଆଉ କରିବ? ବିଚରା ଠାକୁରଙ୍କ ପ୍ରସାଦ ତ, ଯେମିତି ପରିବେଶରେ ହେଉ ପଛେ ବାଧ୍ୟ ବାଧକତାରେ ଦି ମୁଠା ଖାଇଦେଇ ଯିବାକଥା ଭାବି ଅଶାନ୍ତିର ସହ ପ୍ରସାଦ ସେବନ କରୁଛନ୍ତି ।
ଆମେ କେତେ ଭକ୍ତିର ସହିତ ଏହି ମନ୍ଦିରକୁ ପ୍ରସାଦ ଟିକେ ପାଇବାକୁ ଆସିଥିଲୁ । ମାତ୍ର ଏହାର ପରିବେଶକୁ ଦେଖି ମନ ବିତୃଷ୍ଣାରେ ଭରି ଯାଉଛି । ମନ୍ଦିର ପ୍ରଶାସନ କଣ ଏସବୁ ଦେଖୁ ନାହାନ୍ତି? ତେଣୁ ଏଠାରେ ଅଭିଯୋଗ କରିବୁ କାହାକୁ ? ଅଭିଯୋଗ କଲେ ବି ଫଳ କ’ଣ ଟା ହେବ ବୋଲି କେତେଜଣ ଭକ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେଣୁ ଅନନ୍ତବାସୁଦେବ ମନ୍ଦିର ଆନନ୍ଦବଜାରର ଏହି ଅସ୍ୱାସ୍ଥ୍ୟକର ପରିବେଶ ପ୍ରତି ମନ୍ଦିର ପ୍ରଶାସନ ତଥା ସରକାର ତୁରନ୍ତ ଦୃଷ୍ଟି ଦେଇ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
ରଣଜିତ୍ ପଟ୍ଟନାୟକ
ମୁଖ୍ୟ ପ୍ରତିନିଧି,ଭିଓଭି
