ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ OMSA ଏହି ନିଷ୍ପତ୍ତି ନେଇଛି । ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ କମିଟି’ ଗଠନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଓପିଡି, ଆଇପିଡି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବାକୁ ଯାଉଛି ।
ଯାହା ଓଡ଼ିଶାର ଲକ୍ଷ ଲକ୍ଷ ରୋଗୀ ଓ ପରିବାର ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି । ସରକାରଙ୍କ ଦ୍ୱାରା ଗଠିତ ଏହି ଉଚ୍ଚସ୍ତରୀୟ ସଚିବ କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଓମ୍ସାର ପ୍ରମୁଖ ଦାବିଗୁଡ଼ିକୁ ଯାଞ୍ଚ କରି ସମାଧାନର ପନ୍ଥା ବାହାର କରିବ । ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ ଯୋଜନାର ଲାଗୁ । ଚାକିରି କ୍ଷେତ୍ରରେ ସଂସ୍କାର ଏବଂ କ୍ୟାଡରର ପୁନର୍ଗଠନ । ଡାକ୍ତରମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ସଠିକ୍ ବଦଳି ପ୍ରକ୍ରିୟା ପ୍ରଣୟନ । ସମୟାନୁବର୍ତ୍ତୀ ପ୍ରମୋଶନ ବ୍ୟବସ୍ଥା । ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀଗୁଡ଼ିକରେ ତୁରନ୍ତ ନିଯୁକ୍ତି। ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା । ଆସୋସିଏସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ ସରକାରଙ୍କ ଏହି କମିଟି ପ୍ରକ୍ରିୟା ଉପରେ ଭରସା ରଖି ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ।
