ଏବେ ଇଂରାଜୀ ନୂଆବର୍ଷ ର ମାହୋଲ୍, ପୁଣି ଆଗକୁ ରହିଛି ନିର୍ବାଚନ । ସେଥିପାଇଁ ଗାଁରୁ ସହର ପର୍ଯ୍ୟନ୍ତ, ସବୁଠି ଯେଉଁ ହାରରେ ପ୍ଲାଷ୍ଟିକ୍ ତିଆରି ଶୁଭେଚ୍ଛା ବ୍ୟାନ୍ୟର୍ ବା ଫ୍ଲେକ୍ସ ଟଙ୍ଗା ଯାଉଛି ତାହା ଆଗାମୀ ଦିନରେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିବ । ଏହା ଉପରେ କୌଣସି କଟକଣା ନଥିବା ଯୋଗୁଁ ଟନ୍ ଟନ୍ ଓଜନର ପ୍ଲାଷ୍ଟିକ ତିଆରି ଫ୍ଲେକ୍ସ ବ୍ୟାନର୍ ସାରା ରାଜ୍ୟରେ ଛାଇ ଯାଉଛି । ସେହିପରି ନିର୍ବାଚନ ସମୟରେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ପ୍ରାର୍ଥୀମାନଙ୍କର ଦଳୀୟ ବ୍ୟାନର ଦେଖାଯାଏ । ଆଶାୟୀ ପ୍ରାର୍ଥୀମାନେ ଦବ୍-ଦବା ଦେଖାଇବାକୁ ଯାଇ ଦଳର କିଛି ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କ ସହିତ ନିଜର ଫଟୋକୁ ଯୋଡ଼ି ଆକର୍ଷଣୀୟ ଫ୍ଲେକ୍ସ ବ୍ୟାନର୍ ପ୍ରସ୍ତୁତ କରିଥାନ୍ତି । ଏ ପ୍ରତିଯୋଗିତାଟି ଏଭଳି ଭାବରେ ଚାଲେ ଯେ ନିଜର ବିପକ୍ଷ ବା ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଯେଭଳି ବ୍ୟାନର୍ ମାରିବାକୁ ଯାଗା ନପାଇବେ, ସେଥିପାଇଁ ଜଣେ ବିପୁଳ ଅର୍ଥ ବ୍ୟୟ କରି ପ୍ରମୁଖ ସ୍ଥାନଗୁଡିକୁ ବହୁ ପୂର୍ବରୁ ଦଖଲ କରି ବ୍ୟାନର୍ ମାରି ଦିଅନ୍ତି । ଏହି ପ୍ଲାଷ୍ଟିକ୍ ତିଆରି ବ୍ୟାନର୍ ଗୁଡ଼ିକରେ ବହୁ ପରିମାଣର ରାସାୟନିକ ରଙ୍ଗ ବ୍ୟବହୃତ ହୋଇଥାଏ । ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଏହି ବ୍ୟାନର୍ ଗୁଡ଼ିକ ଆଦୌ ମାଟିରେ ମିଶିବ ନାହିଁ । ସହରାଞ୍ଚଳରେ ରଦି ସାମଗ୍ରୀ ଖରିଦ କରୁଥିବା ବ୍ୟବସାୟୀମାନେ ଏହାକୁ ନେଇଯାନ୍ତି, ହେଲେ ଗାଁ-ଗହଳରେ ଏହା ରାସ୍ତାଘାଟ ଠାରୁ ଆରମ୍ଭ କରି ଚାଷ ଜମି ପର୍ଯ୍ୟନ୍ତ ସବୁଆଡେ ପଡ଼ିଥାଏ । କେତେକ ସ୍ଥାନରେ ଏହାକୁ ନଷ୍ଟ କରିବା ପାଇଁ ନିଆଁ ଲଗାଇ ଦିଆଯାଉଛି । ଅନ୍ୟପକ୍ଷରେ ନିର୍ବାଚନ ପରେ ବ୍ୟାନର୍ ଗୁଡ଼ିକୁ କେହି ଏକତ୍ରିତ କରି ଠିକଣା ଭାବେ ବିଘଟନ ପାଇଁ ଉଦ୍ୟମ କରୁନାହାଁନ୍ତି । ସୁତରାଂ ଏହାର କୁପରିଣାମ ପରିବେଶ ଉପରେ ଭୟଙ୍କର ଭାବରେ ପଡ଼ୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ଲାଷ୍ଟିକ୍ ଦହନରୁ ସୃଷ୍ଟି ହେଉଥିବା ରାସାୟନିକ ପଦାର୍ଥ କର୍କଟ ରୋଗର ଅନ୍ୟତମ କାରଣ ଭାବରେ ଉଭାହେଉଛି । ଏହି ପରିତ୍ୟକ୍ତ ବ୍ୟାନର୍ ଗୁଡିକ ଯେଉଁଠାରେ ପଡ଼ୁଛି ସେଠିକାର ମୃତ୍ତିକା ଓ ଜଳ ମଧ୍ୟ ପ୍ରଦୂଷିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷଜ୍ଞମାନଙ୍କ ମତରେ ଏହି ପ୍ଲାଷ୍ଟିକ୍ ମିଶ୍ରିତ ବ୍ୟାନର୍ ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଲାଣି । ପ୍ରତିବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ତିଆରି ପତାକା ଉପରେ କଟକଣା ଜାରି କରିବା ସହିତ କେବଳ କାଗଜ ଓ କନାରେ ପ୍ରସ୍ତୁତ ପତାକା ବ୍ୟବହାର ପାଇଁ ଆହ୍ୱାନ ଦେଇଥାଆନ୍ତି । ହେଲେ ନୂଆବର୍ଷ କିମ୍ବା ନିର୍ବାଚନ ସମୟରେ ଏଭଳି କଟକଣା ନଥିବାରୁ ସଭିଏଁ ମନଇଛା ପ୍ଲାଷ୍ଟିକ୍ ତିଆରି ବ୍ୟାନର୍ ବ୍ୟବହାର କରୁଛନ୍ତି । ଏହା ଆଗାମୀ ଦିନରେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନ ସମୟରେ ପ୍ଲାଷ୍ଟିକ୍ ତିଆରି ପ୍ରଚାରପତ୍ର ଉପରେ କଟକଣା ଜାରି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ।
ଜ୍ଞାନ ରଞ୍ଜନ ମିଶ୍ର
