ପୁରୀ/କୋଣାର୍କ (ଭିଓଭି): ପୁରୀ ରୁ କାର୍ ନେଇ କୋଣାର୍କ ଯାଉଥିଲେ ସାବଧାନ! ରାମଚଣ୍ଡୀ ପାର ହେବା ପରେ ଇକୋ ରିଟ୍ରିଟ୍ ଠାରୁ କୋଣାର୍କ ମନ୍ଦିର ଯାଏ ଯେକୌଣସି ସ୍ଥାନରେ ଗାଡି ଛିଡା ହେବା ମାତ୍ରେ ପାର୍କିଂ ଫି ଦେବାକୁ ହେବ। ତାହା ପୁଣି ଜୋର୍ ଜବରଦସ୍ତ। ପୋଲିସ ମଧ୍ୟ ଜାଣିଶୁଣି ନୀରବ। ସାମ୍ବାଦିକଙ୍କୁ ବି ଛାଡୁ ନାହାନ୍ତି।
ନିକଟରେ ଏମିତି ଏକ ପରିସ୍ଥିର ସାମନା କରିଛନ୍ତି କିଛି ସାମ୍ବାଦିକ। ଭଏସ୍ ଅଫ୍ ଭିକ୍ଟିମ୍ସ ର ସାମ୍ବାଦିକ ଙ୍କ ସମେତ ଅନ୍ୟ ତିନିଜଣ ସାମ୍ବାଦିକ ଚନ୍ଦ୍ରଭାଗା ନିକଟସ୍ଥ ଇକୋରିଟ୍ରିଟ୍ ଠାରେ ରାସ୍ତା କଡରେ କାର ପାର୍କିଂ କରି ସମୁଦ୍ର ଢେଉ ମାଡରେ କ୍ଷତିଗ୍ରସ୍ତ ହୋଇଥିବା ବେଳାଭୂମି ରାସ୍ତାର ଅବସ୍ଥା ସମ୍ପର୍କରେ ଦେଖୁଥିବା ବେଳେ ହାତରେ ରସିଦ୍ ବହି ଧରି ଜଣେ ଯୁବକ ସେମାନଙ୍କୁ ପାର୍କିଂ ଫି ମାଗିଥିଲେ। ଏହା ତ ସର୍ବସାଧାରଣ ରାସ୍ତା, ଏଠାରେ କୌଣସି ପାର୍କିଂ ବୋର୍ଡ ବି ଲାଗିନାହିଁ ହେଲେ ଏମିତି ସର୍ବସାଧାରଣ ରାସ୍ତାରୁ ପାର୍କିଂ ଫି ଆଦାୟ କରିବାକୁ ତୁମକୁ ଅନୁମତି କିଏ ଦେଲା ବୋଲି ପଚାରିବାରୁ ସେ ଗୋଟିଏ ରସିଦ୍ ବହି ଦେଖାଇଥିଲେ ଯେଉଁଥିରେ କି _ ଲେଖା ଥିଲା ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଗୋଟିଏ ପାର୍କିଂ ଫି ଅନୁମତି ପତ୍ର ମୋବାଇଲ ରେ ଫଟୋ ଥିବା ଦେଖାଇଥିଲେ। ଯେଉଁଥିରେ କି ପାର୍କିଂ ଅନୁମତି ପାଇଁ କୌଣସି ସ୍ଥାନର ନାମ ଉଲ୍ଲେଖ ନଥିଲା। ସାମ୍ବାଦିକ ବୋଲି ପରିଚୟ ଦେବା ପରେ ବି ସେ ଛାଡି ନଥିଲେ।
ନାନା କଥା କହି ପାର୍କିଂ ଫି ନେବାକୁ ଅଡି ବସିଥିଲେ ଏବଂ ଟୁରିଷ୍ଟ ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର 112 କୁ ଫୋନ୍ କରି ପଚାର ବୋଲି ମଧ୍ୟ କହିଥିଲେ। ଠିକ୍ ସେହି ସମୟରେ ଟୁରିଷ୍ଟ ପୋଲିସ ର ପିସିଆର ଗାଡିଟି ଆସି ପହଞ୍ଚି ଥିଲା ଏବଂ ସେଥିରେ ଥିବା ପୋଲିସ ବାବୁ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଇ ଥିବା କଥା କହିଥିଲେ। ମାତ୍ର ସାମ୍ବାଦିକ ବୋଲି ପରିଚୟ ଜାଣିବା ପରେ ସେକଥା ଆମେ କିଛି ଜାଣିନୁ ବୋଲି କହି ସେଠାରୁ ଖସି ପିସିଆର ଗାଡି ନେଇ ପଳାଇଥିଲେ ଏବଂ ସମ୍ପୃକ୍ତ ଯୁବକ ଜଣକ ମଧ୍ୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
ତେଣୁ ସର୍ବ ସାଧାରଣ ରାସ୍ତା ଉପରୁ ଟୁରିଷ୍ଟ ମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରିବାରେ କୋଣାର୍କ ଟୁରିଷ୍ଟ ପୋଲିସ ବାବୁଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଟାଣି ନେଉଛି। ପାର୍କିଂ ଫି ନାମରେ କୋଣାର୍କ ବୁଲି ଆସୁଥିବା ଟୁରିଷ୍ଟ ମାନଙ୍କ ଠାରୁ ଏମିତି ବେଆଇନ ଟଙ୍କା ଆଦାୟ କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।
