ଶିମିଳିପାଳ/ ନୟାଗଡ଼ : ଜଳୁଛି ଶିମିଳିପାଳ । ଶିମିଳିପାଳର ସାଉଥ ଡିଭିଜନ ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ଲାଗିଛି ନିଆଁ । ନିଆଁ ଏବେ ଶିମିଳିପାଳ ଭିତରକୁ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ସଂକଟରେ ଶିମିଳିପାଳର ଜୀବଜନ୍ତୁ । ଧୀରେ ଧୀରେ ନିଆଁ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ, ବଡ଼ ବଡ଼ ଗଛ ନିଆଁରେ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ତେବେ ବନ ବିଭାଗ ନିଆଁ କୁ ଆୟତ୍ତ କରିବାରେ ବିଫଳ ହୋଇଛି । ନିଆଁ ଲାଗିବା ଫଳରେ ବହୁ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମଲତା ପୋଡି ନଷ୍ଟ ହୋଇଯାଇଛି । ସେପଟେ ନିଆଁ ଭୟଙ୍କର ରୂପ ଧାରଣ କରି ବଫର ଏରିଆ ରୁ କୋର ଏରିଆ କୁ ବ୍ୟାପୁଥିବାରୁ ସମସ୍ୟା ବଢିବାରେ ଲାଗିଛି ।
ସେହିପରି ଖରାଦିନ ଆରମ୍ଭରୁ ଜଳୁଛି ନୟାଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲ । ବିଶେଷକରି ଦଶପଲ୍ଲା ରେଞ୍ଜ , ପଞ୍ଚରିଡା ରେଞ୍ଜ ଏବଂ ଖଣ୍ଡପଡା ରେଞ୍ଜ ଅଞ୍ଚଳରେ ଦିନରାତି ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି । ବନବିଭାଗ ପାଲା , ଦାସକାଠିଆ , ଗାଁଗାଁରେ ସଭାସମିତି କରି ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ଯ ଦୁବୃର୍ତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଇଦେଉଛନ୍ତି । ଦଶପଲ୍ଲା ରେଞ୍ଜ ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ଯଜନ୍ତୁ ଜନବସତି ମୁହାଁ ହୋଇଥିବାବେଳେ, କିଛି ସ୍ଥାନରେ ଗାଁକୁ ମାଡ଼ିଆସିଛି ନିଆଁ । ସାଟେଲାଇଟ ଇମେଜ ସହାୟତାରେ ବନବିଭାଗ କର୍ମଚାରୀ ନିଆଁ ଲିଭାଉଥିବା କହିଛନ୍ତି ଡିଏଫଓ ।
