ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ପଡ଼ିଥିଲା। ସୋମବାର ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧-ବ୍ୟାଚ୍ ଓଡ଼ିଶା କ୍ୟାଡର୍ର ଆଇଏଏସ୍ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସବ୍ କଲେକ୍ଟର୍ ଭାବରେ କାର୍ଯ୍ୟ କରିଥିଲେ। ପରେ କେତେକ ଜିଲ୍ଲାର ଜିଲ୍ଲାପାଳ, ଆର୍ଡିସି ଓ ବିଭିନ୍ନ ବିଭାଗର ସଚିବ ଥିଲେ। ରାଜ୍ୟପାଳଙ୍କ ସଚିବ ବି ଥିଲେ ଓ କନ୍ଧମାଳ ଦଙ୍ଗା ପାଇଁ ତତ୍କାଳୀନ ସରକାର ଯେଉଁ ତଦନ୍ତ କମିଶନ ବସାଇଥିଲେ, ଶ୍ରୀ ପାଢ଼ୀ ସେଥିରେ ଅଧ୍ୟକ୍ଷ ଥିଲେ। ଅବସର ପରେ ତାଙ୍କୁ ରାଜ୍ୟ ସରକାର ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି, ସେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଶ୍ରୀ ପାଢ଼ୀ ମତପ୍ରକାଶ କରିଛନ୍ତି।
