ରଣପୁର, ୦୩/୧୦ : ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଉତ୍ସାହ ଓ ଶିକ୍ଷଣମୂଳକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ଲଷ୍ଟରର ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ, କ୍ରିୟାଶୀଳ ଓ ଶିଶୁକୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କ୍ଲଷ୍ଟର ସ୍ତରୀୟ ବୈଠକକୁ ସି.ଆର.ସି.ସି. ସୁଶୀଲ କୁମାର ରଣା ଓ ସି.ଆର.ଜି. ସୁକାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ସରକାରୀ ନିର୍ଦ୍ଦେଶ ଓ ଶିକ୍ଷା ବିଭାଗର ମାର୍ଗଦର୍ଶନ ଅନୁଯାୟୀ ବିଦ୍ୟାଳୟର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ନେଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।

ବିଶେଷକରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN), ଗଣିତ ଶିକ୍ଷଣ କାର୍ଯ୍ୟ, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟ, ଶିକ୍ଷଣ ସୋପାନ ରେଜିଷ୍ଟର ଏବଂ ଅନ୍ୟାନ୍ୟ ଶିକ୍ଷଣ ସମ୍ପର୍କିତ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ଓ ମତବିନିମୟ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ ଶିକ୍ଷକମାନେ କିପରି ଶ୍ରେଣୀକକ୍ଷରେ ଅଧିକ କ୍ରିୟାଭିତ୍ତିକ ଓ ଆନନ୍ଦଦାୟକ ଶିକ୍ଷଣ ପଦ୍ଧତି ପ୍ରୟୋଗ କରିପାରିବେ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଭାଗବତ ଜେନା, ଭ୍ରମରବର ତାଡ଼, ସୁରେନ୍ଦ୍ର କୁମାର ସାହୁ, ଆଶାମଣୀ ସାମନ୍ତରାୟ, କବିତା ମଙ୍ଗରାଜ, ଉର୍ମିଳା ଦେଇ, ଲକ୍ଷ୍ମୀ ଦେଇ, ସରୋଜିନୀ ଖୁଣ୍ଟିଆ ଓ ବିଜୟ କୁମାର ଚମ୍ପତିଙ୍କ ସମେତ ନରସିଂହପୁର କ୍ଲଷ୍ଟର ଅଧୀନ ସମସ୍ତ ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀ ଓ ଏଫ୍.ଏଲ୍.ଏନ୍. ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇଥିଲେ। ବୈଠକରେ ଶିକ୍ଷକମାନଙ୍କ ମଧ୍ୟରେ ଅନୁଭୂତି ଓ ଶିକ୍ଷଣ କୌଶଳର ଆଦାନପ୍ରଦାନ ହେବା ସହିତ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରତ୍ୟେକ ଶିଶୁର ଶିକ୍ଷଣ ଅଭିବୃଦ୍ଧି ନିଶ୍ଚିତ କରିବା ଉପରେ ସମସ୍ତେ ଗୁରୁତ୍ୱ ଦେଇଥିଲେ।
