ରଣପୁର (ଭିଓଭି): ରଣପୁର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ବ୍ଲକ ପରିସର ମଧ୍ୟରେ ଥିବା ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ତଥା ସ୍ଥାନୀୟ ବିଧାୟିକ ସୁରମା ପାଢ଼ୀ, ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଜିଲ୍ଲାପରିଷଦ ରଜନୀରାଣୀ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲଷ୍ମୀପ୍ରିୟା ତରେଇ, ଚାନ୍ଦପୁର ଜିଲ୍ଲା ପରିଷଦ ଜ୍ୟୋସ୍ନାମୟୀ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ l ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ବିଡ଼ିଓ ମନୋଜ କୁମାର ନାୟକ ଉକ୍ତ ବୈଠକରେ ସଂଯୋଜନା କରିଥିଲେ l ପ୍ରଥମେ ପୂର୍ବ ବୈଠକର ବିବରଣୀକୁ ପାଠ କରାଯାଇ ଗୃହୀତ ହେବାପରେ ସ୍ୱାସ୍ଥ୍ୟ, ଶିକ୍ଷା,କୃଷି, ଗମନାଗମନ, ଜଳଯୋଗାଣ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା l ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ହୋଇ ଆସୁ ନ ଥିବା ହେତୁ ଆଲୋଚନା ସମୟରେ ସଠିକ ଭାବେ ତଥ୍ୟ ପ୍ରଦାନରେ ବ୍ୟାଘାତ ହେଉଥିବା ନେଇ ଉଦବେଗ ପ୍ରକାଶ ପାଇବା ସହ ଆଗାମୀ ବୈଠକକୁ ଆସିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତଥ୍ୟ ସହ ଆସିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ l ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ସମାପ୍ତ କରାଯାଇଥିଲା l
