ଭୁବନେଶ୍ୱର: ଜୁନ୍ରେ ସ୍ବାଭାବିକରୁ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇରେ ମଧ୍ୟ ଦେଶରେ ସ୍ବାଭାବିକରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ-କେନ୍ଦ୍ରୀୟ ଏବଂ ପୂର୍ବାଞ୍ଚଳ ଦ୍ବୀପପୁଞ୍ଜ ଅଞ୍ଚଳର କେତେକ ସ୍ଥାନରେ ସ୍ବାଭାବିକ ବର୍ଷାର ସମ୍ଭାବନା ରହିଛି। ଜୁଲାଇରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି। ଜୁନ୍ରେ ଗୋଟିଏ ହେଲେ ଲଘୁଚାପ ସୃଷ୍ଟି ହୋଇନାହିଁ। କିନ୍ତୁ ଜୁଲାଇ ୩ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ ଜୁଲାଇରେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ସ୍ବାଭାବିକରୁ ଅଧିକ ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସ୍ବାଭାବିକରୁ କମ୍ ରହିବ। କିନ୍ତୁ ଉତ୍ତର-ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ସ୍ବାଭାବିକରୁ କମ୍ ବର୍ଷାର ସମ୍ଭାବନା ରହିଛି।
ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଜୁଲାଇ ୩ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ ହୋଇଛି। ଭୁବନେଶ୍ବର-କଟକ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ସକାଳ ସାଢେ ୫ଟାରୁ ପୂର୍ବାହ୍ଣ ସାଢେ ୧୦ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ପରବର୍ତ୍ତୀ ସମୟରେ ଝିପିଝିପି ବର୍ଷା ଲାଗି ରହିଥିଲା। ସକାଳୁ ପ୍ରବଳ ବର୍ଷା ଯୋଗୁଁ କଟକ ଏବଂ ଭୁବନେଶ୍ୱର ବିଭିନ୍ନ ତଳିଆ ଅଞ୍ଚଳ ତଥା ମୁଖ୍ୟ ରାସ୍ତା ପାର୍ଶ୍ବରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବାଲେଶ୍ବର, ମୟୂରଭଞ୍ଜ ଜିଲାରୁ ଆରମ୍ଭ କରି ପୁରୀ ଏବଂ ଗଞ୍ଜାମ ଜିଲା ପର୍ଯ୍ୟନ୍ତ ଭଲ ବର୍ଷା ହୋଇପାରେ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବାଂଲାଦେଶରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଆଗକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ଆଶଙ୍କା ରହିଛି।
