କଟକ : ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ମହଙ୍ଗା ପଡ଼ିଲା ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା । ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି । ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ସଙ୍ଗୀନ ଅଭିଯୋଗ ସୌରିନଙ୍କ ବିରୋଧରେ ରହିଛି । ଏନେଇ କଟକ ମହିଳା ଥାନାରେ ଏତଲା ଦାୟର ହେବା ପରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଏହାପରେ ସୌରିନ ମହିଳା ଥାନାରେ ଆଉ ହାଜର ହୋଇନଥିଲେ । ପୋଲିସ ବାରମ୍ବାର ଖୋଜି ନପାଇବା ପରେ ତାଙ୍କ ପୈତୃକ ଘରେ ଲଟକା ଜାରି କରାଯାଇଥିଲା । ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା ।

ଏଥିସହ ୨୦୨୩ ମସିହାରେ ସୌରିନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା । NBWକୁ ଚ୍ୟାଲେଞ୍ଜ କରି ସୌରିନ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିବା ସହ ନିମ୍ନ ଅଦାଲତରେ ସୌରିନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୦ ତାରିଖରେ ସୌରିନ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାର ଥିଲା । ମାତ୍ର ସେ ଆତ୍ମସମର୍ପଣ କରିନଥିଲେ । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଫଳରେ ସୌରିନଙ୍କ ବିରୋଧରେ ଜାରି ହୋଇଥିବା ଏନବିଡବ୍ଲୁ ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦିଆଯାଇଛି ।

