ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ସାକ୍ଷୀଗୋପାଳ ର ଶ୍ରୀଶ୍ରୀ ଗୋପାଳ ଜୀଉ ମନ୍ଦିରରେ ଗତ ୧୦-୧୧-୨୪ ତାରିଖ ରବିବାର ଦିନ ପୁରୀ ଜିଲ୍ଲାର ଦ୍ବିତୀୟ ବୃହତ ଗଣପର୍ବ ଅଁଳା ନବମୀ ଓ ମା ରାଧାରାଣୀ ଙ୍କର ପବିତ୍ର ପାଦଦର୍ଶନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ୩ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଏହି ଦୁର୍ଲ୍ଲଭ ପାଦ ଦର୍ଶନ କରିଥିଲେ। ଚଳିତ ବର୍ଷ ଭକ୍ତ ସମାଗମ ବୃଦ୍ଧି ହେତୁ ପ୍ରାୟ ୨କିଲୋମିଟର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ବର୍ଷକରେ କେବଳ ଏହି ଗୋଟିଏ ଦିନ ନିମନ୍ତେ ମା ରାଧାରାଣୀଙ୍କର ପାଦଦର୍ଶନ ଅନୁଷ୍ଠିତ ହୁଏ ତେଣୁ ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଭୋର ପ୍ରାୟ 5 ଟା ଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା l ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରଶାସନ ଦ୍ୱାରା ନିର୍ମିତ ବ୍ୟାରିକେଡ଼ ମଧ୍ୟରେ ଯାଇ ମାଙ୍କର ପାଦ ଦର୍ଶନ କରିଥିଲେ l ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ. ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣୀଆ କଛା ମାରିଥାନ୍ତି. ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ। ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା l ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣୀଆ କଛା ମାରିଥିଲେ l କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା l ଠାକୁରାଣୀ ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିଲେ l ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ, ଓ ଡାଇମଣ୍ଡ କଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ, ଓ ଚୁପୁଲି ଶୋଭା ପାଉଥିଲା l ସେହିପରି ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର ମନୋରମ ନଟବର ବେଶ ହୋଇଥିଲେ l .ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଥିଲେ l ଠାକୁରଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଥିଲା। ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବାଉଁଶ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ଼ ନିର୍ମାଣ ହୋଇଥିଲା l ଭକ୍ତ ମାନେ ଧାଡିରେ ଆସି ବ୍ୟାରିକେଡ଼ ମଧ୍ୟରେ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ l ପ୍ରଶାସନ ତରଫରୁ ମନ୍ଦିର ପରିସର ଓ ସିଂହଦ୍ୱାର ସମ୍ମୁଖରେ ସି ସି ଟିଭି ଲଗା ଯାଇଥିଲା l ସିଂହ ଦ୍ୱାର ସମ୍ମୁଖରେ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ପରେ ଭକ୍ତ ମାନେ ମନ୍ଦିର ପ୍ରବେଶ କରିଥିଲେ l

ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସିଂହଦ୍ୱାର ଠାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପାର୍ଶ୍ଵ ଦେଇ ସାକ୍ଷୀଗୋପାଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଧାଡି ଲମ୍ବି ଯାଇଥିଲା l ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରାୟ ୨ କିଲୋମିଟର ବ୍ୟାପି ଏହି ଧାଡିରେ ଆସି ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା l ଭକ୍ତ ମାନଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳ ଓ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା ହୋଇଥିଲା l ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚାରିପଟ ଓ ବଜାର ରାସ୍ତାରେ ଆଲୋକ ବ୍ୟବସ୍ଥା ହୋଇଥିଲା l ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କିମ୍ବଦନ୍ତୀ ରହିଅଛି, ସାକ୍ଷୀଗୋପାଳ ଠାକୁର ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ହେବା ପରେ ଠାକୁର ଏଠାରେ ଏକୁଟିଆ ହୋଇଗଲେ l ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ବୃନ୍ଦାବନରେ ରହିଗଲେ l ଠାକୁର ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଝୁରି ହେଲେ l ଠାକୁରଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଝିଅ ଲକ୍ଷ୍ମୀ ପ୍ରତ୍ୟେକ ଦିନ ମନ୍ଦିରକୁ ଠାକୁରଙ୍କୁ ଦର୍ଶନ ନିମନ୍ତେ ଆସିଥାଏ l ସେ ଦୀର୍ଘ ସମୟ ଧରି ଠାକୁରଙ୍କୁ ଅପଲକ ନୟନରେ ଦେଖୁଥାଏ l କାଳକ୍ରମେ ଲକ୍ଷ୍ମୀ ବଡ଼ ହେଲେ l ଠାକୁର ରାତିରେ ଲକ୍ଷ୍ମୀଙ୍କ ଘରକୁ ନିୟମିତ ଯିବାଆସିବା କଲେ l ଥରେ ଠାକୁର ଲକ୍ଷ୍ମୀଙ୍କ ଘରେ ସୁବର୍ଣ୍ଣ ବଂଶୀ ଛାଡି ଆସିଥିଲେ l ବଡ଼ ପଣ୍ଡାଙ୍କ ଘରୁ ସୁବର୍ଣ୍ଣ ବଂଶୀ ମିଳିବା ଖବର ରାଜାଙ୍କ କାନକୁ ଗଲା l ରାଜା ବଡ଼ ପଣ୍ଡାଙ୍କୁ ଦଣ୍ଡ ଦେବା ନିମନ୍ତେ ସ୍ଥିର କଲେ l ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଲକ୍ଷ୍ମୀ ରୂପରେ ଜନ୍ମ ଗ୍ରହଣ କରିଛନ୍ତି l ଲକ୍ଷ୍ମୀଙ୍କ ଅବିକଳ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରି ବାମ ପାର୍ଶ୍ୱରେ ସ୍ଥାପନ କରିବା ନିମନ୍ତେ ଠାକୁର ସ୍ୱପ୍ନାଦେଶ ପ୍ରଦାନ କଲେ l ରାଜା ଦଶ ସହସ୍ର ସୁବର୍ଣ୍ଣ ମହୁଡ଼ରେ ଲକ୍ଷ୍ମୀଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ କଲେ l ପ୍ରତିମୂର୍ତ୍ତି ନିର୍ମାଣ ଦିନ ଠାରୁ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡିଲେ l ପ୍ରତିମୂର୍ତ୍ତିରେ ଜୀବନ୍ୟାସ ଦେବା ଦିନ ଲକ୍ଷ୍ମୀ ପ୍ରାଣତ୍ୟାଗ କଲେ l ପ୍ରାଣତ୍ୟାଗ ପରେ ଠାକୁରଙ୍କ ସିଂହଦ୍ୱାର ସମ୍ମୁଖରେ ଲକ୍ଷ୍ମୀଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା l ଏହି ସ୍ଥାନ ମଶାଣିଆ ମହାବୀର ନାମରେ ପରିଚିତ l ଲକ୍ଷ୍ମୀଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ଠାକୁର ଏକ ସରଳ ରେଖାରେ ରହିଅଛି l ଠାକୁର ଓ ମାନବୀ ପ୍ରେମର ସ୍ମୃତି ମନେ ପକାଉଛି l
