ଉମରକୋଟ : ନିର୍ବାଚନକୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପ୍ରଶାସନିକସ୍ତର ରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଅବାଧ ଭାବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉମରକୋଟ ଓ ଝରିଗାଁ ନିର୍ବାଚନୀ ମଣ୍ଡଳୀରେ ପୋଲିସର ତତ୍ପରତା ଦେଖିବାକୁ ମିଳିଛି । ସମ୍ୱେଦନଶୀଳ ବୁଥଗୁଡ଼ିକରେ ଅବାଧ ଓ ନିରପେକ୍ଷ ଭାବେ ମତଦାନ ସାବ୍ୟସ୍ତ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ସହ ବେଆଇନ ମଦ ବିକ୍ରି ଭଳି ଅନ୍ୟ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରଖିବା ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେବା ସୂଚନା ଦିଆଯାଇଛି । ଉମରକୋଟ ନିର୍ବାଚନ ମଣ୍ଡଳୀରେ ଏହି ମତଦାନ ପ୍ରକ୍ରିୟା ନେଇ ଏସଡିପିଓ ମଧୁ ଶିକ୍ତା ମିଶ୍ର ବିଭାଗୀୟ ପୋଲିସ ଅଧିକାରୀଙ୍କ ସହ ସହର ଓ ସୀମାନ୍ତ ଅଞ୍ଚଳରେ ଘନଘନ ତଦାରଖ କରୁଥିବାର ପରିଲକ୍ଷିତ ହୋଇଛି । ଅସ୍ତ୍ରଶସ୍ତ୍ର ସଜ୍ଜିତ ପୋଲିସ କ୍ୟାଡେଟ ଟିମ୍ ସହ ମିଳିତ ସୀମାନ୍ତ ଅଞ୍ଚଳମାନଙ୍କରେ କଡା କଡ଼ି ଚେକିଂ ଦେଖିବାକୁ ମିଳିଛି। ନିର୍ବାଚନକୁ ସୁରୁଖୁରୁରେ କରାଇବା ପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼ ପୋଲିସ ଟିମ ସହିତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏସଡିପିଓ ମଧୁ ଶିକ୍ତା ମିଶ୍ର, ଆଇଆଇସି ଉମେରକୋଟ ଡମ୍ବରୁ ଧର ପ୍ରଧାନ, ଆଇଆଇସି ରାଇଘର ରଘୁନାଥ ମାଝୀ, ଆଇଆଇସି କୁନ୍ଦେଇ ପ୍ରଶାନ୍ତ ସେଠୀ ପ୍ରମୁଖଙ୍କ ସହ ଛତିଶଗଡ କୋଣ୍ଡାଗା ଏସଡିପିଓ ରୁପେଶ କୁମାର, ଆଇଆଇସି ମାକଡି ଅଖିଳେଶ ଧୀୱାର, ଆନନ୍ତପୁର ପ୍ରମୁଖ ଙ୍କ ସହ ତଥ୍ୟ ଆଦାନ ପ୍ରଦାନ ଓ ସୀମାନ୍ତରେ କିପରି ଭାବେ ମଦ ଚୋରା ଚାଲାଣ, ଅନୈତିକ ଅର୍ଥ କାରବାର ଉପରେ ରୋକ ଲଗାଯିବ ଓ ମିଳିତ ସର୍ଚ୍ଚ ଅପେରସନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଅପର ପକ୍ଷେ ଏସଡିପିଓ ଉମରକୋଟ ମଧୁ ଶିକ୍ତା ମିଶ୍ରଙ୍କ ଆଦେଶ କ୍ରମେ ସୀମାନ୍ତ ଅଞ୍ଚଳରେ ୨୪ ଘଣ୍ଟା ଗାଡି ମୋଟର ଚେକିଂ ସହ ଚୋରା ମଦ କାରବାର, ଅନୈତିକ ଅର୍ଥ କାରବାର ତଥା ନକ୍ସଲ ଗତି ଵିଧି ଉପରେ କଡା ନଜର ରଖାଯିବା ସହ ଜୋରଦାର ଚେକିଂ ଚାଲିଛି। ପଡୋଶୀ ରାଜ୍ୟରେ ସାଧାରଣ ନିର୍ବାଚନ ନ ଥିବାରୁ କୌଣସି ରାଜନୈତିକ ଦଳ ଯେପରି ରାଜ୍ୟରେ ଚାଲୁଥିବା ନିର୍ବାଚନ ଉପରେ କୌଣସି ଭାବେ ପ୍ରଭାବ ନ ପକାଇ ପାରନ୍ତି ଏଥି ପାଇଁ ପୋଲିସ ସଦା ସର୍ବଦା ପ୍ରସ୍ତୁତ ବୋଲି କୁହାଯାଇଛି।
