ରଣପୁର (ଭିଓଭି) : ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାର ସମ୍ମାନରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ମାଧ୍ୟମରେ ସେମାନେ ନିଜ ଭାଷାର ସଂସ୍କୃତିକ ଧାରାବାହିକତାକୁ ପ୍ରଦର୍ଶନ କରିଥିଲେ । ଶିକ୍ଷକମାନେ ମାତୃଭାଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷାର ସୁରକ୍ଷା ଓ ସମ୍ବର୍ଦ୍ଧନ ପାଇଁ ଉତ୍ସାହିତ କରିଥିଲେ । ପ୍ରଧାନଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟିତ୍ରୀ ପଦ୍ମାବତୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ନରସିଂହପୁର କ୍ଲଷ୍ଟର, ଖଇରପଲ୍ଲୀ କ୍ଲଷ୍ଟର, ଗୌରାଙ୍ଗପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, କାଶନ୍ଦା କ୍ଲଷ୍ଟର ସମେତ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି ।




