• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ-୨୦୨୫, ଜଗନ୍ନାଥ ହିଁ ଓଡ଼ିଆଙ୍କ ସର୍ବଶ୍ରେଷ୍ଠ ପରିଚିତି: ମୁଖ୍ୟମନ୍ତ୍ରୀ

by Voice of Victims
January 7, 2025
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ-୨୦୨୫, ଜଗନ୍ନାଥ ହିଁ ଓଡ଼ିଆଙ୍କ ସର୍ବଶ୍ରେଷ୍ଠ ପରିଚିତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଆଙ୍କ ସର୍ବଶ୍ରେଷ୍ଠ ପରିଚିତି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଚେତନାର ପ୍ରତିଭୂ। ଶ୍ରୀଜଗନ୍ନାଥ ଜଣର ନୁହନ୍ତି, ସେ ଗଣର। ଜାତି ଧର୍ମ ନିର୍ବିଶେଷରେ ପୃଥିବୀର ବିଭିନ୍ନ ପ୍ରାନ୍ତର ଅଗଣିତ ଭକ୍ତଙ୍କ ଅକୃତ୍ରିମ ଶ୍ରଦ୍ଧା ହିଁ ତାଙ୍କୁ ଗଣ-ଦେବତାର ମାନ୍ୟତା ଦେଇଛି। ସେଥିପାଇଁ ସେ କେବଳ ନିଳାଦ୍ରୀନାଥ ହୋଇ ନରହି ପାଲଟି ଯାଇଛନ୍ତି ଜଗତରନାଥ। ଏକ ଦିବ୍ୟ ଚେତନାରେ ସେ ବହୁ ରୂପରେ ଅଭିବ୍ୟକ୍ତ ହୋଇଛନ୍ତି। ଆତ୍ମିକ ଚେତନା ରୂପରେ ସେ ସବୁଠାରେ ବିରାଜିତ। ସେ ଧନୀର ଦେବତା ପୁଣି ଗରିବର ଦେବତା। ସେ ଜ୍ଞାନୀର ଦେବତା ପୁଣି ନିରକ୍ଷରର ଦେବତା। ସେ ହେଉଛନ୍ତି ବିଶ୍ୱାସର ଠାକୁର। ଯିଏ ତାଙ୍କୁ ଯେପରି ଦେଖିବାକୁ ଚାହାନ୍ତି ତାଙ୍କୁ ସେ ସେପରି ଦିଶନ୍ତି। ସେ ହିଁ କୋଟି କୋଟି ଓଡ଼ିଆ ତଥା ବିଶ୍ୱର ବିଶ୍ୱାସର ନାଭିବ୍ରହ୍ମ। ସେ ହିଁ ଆମ ଅଖଣ୍ଡ ଆସ୍ଥା ଆଉ ଶ୍ରଦ୍ଧାର ଶାଶ୍ୱତ ସ୍ୱରୂପ। ସେ ଆଦି, ସେ ଅନ୍ତ ଓ ସେ ହିଁ ଅନନ୍ତ। ସେ ହିଁ ପଞ୍ଚଭୂତର ଆକାର। ସେ ହିଁ ନିର୍ବିକଳ୍ପ ଓ ନିରାକାର। ସେ ପୂର୍ଣ୍ଣ ଓ ସେ ହିଁ ଶୂନ୍ୟ। ତାଙ୍କ ଲୀଳା ଓ ମହିମା ବିଷୟରେ କହିଲେ ଓ ଶୁଣିଲେ ରାତି ସରିଯିବ ହେଲେ କଥା ସରିବନି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଆଇଆଇଏମ୍‌ଟି ସମ୍ମିଳନୀ କକ୍ଷରେ ଆୟୋଜିତ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଜୟ ଜଗନ୍ନାଥ, ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ୍ ନୁହେଁ। ଯେ’କୌଣସି ସମୟରେ, ଯେ’କୌଣସି ପରିସ୍ଥିତି, ଯେ’କୌଣସି ମାନସିକ ଅବସ୍ଥାରେ ଜଣେ ଥିଲେ ମଧ୍ୟ ଏହା ଶରୀରରେ ନୂତନ ଉତ୍ସାହ, ନୂଆ ଉଦ୍ଦୀପନାରେ ଭରିଦିଏ। ଜଗନ୍ନାଥ ସଂସ୍କୃତି ଅନନ୍ୟ, ଏହାର ପଟାନ୍ତର ନାହିଁ। ଜଗନ୍ନାଥ ସଂସ୍କୃତି ବିଷୟରେ କହିବାକୁ ହେଲେ ଆଜିର ଏହି ସ୍ୱଳ୍ପ ସମୟ ଭିତରେ ତାକୁ ବ୍ୟାଖ୍ୟା କରିବା ଅସମ୍ଭବ। ଜଣେ ସାଧାରଣ ଜଗନ୍ନାଥ ପ୍ରେମୀ ଭାବେ ଏବଂ ସାମାଜିକ ଜୀବନରେ ଥିବା ଜଣେ ବ୍ୟକ୍ତି ଭାବେ ମୁଁ ଜଗନ୍ନାଥ ସଂସ୍କୃତିକୁ ଯେମିତି ଜାଣିଛି, ଯେମିତି ଦେଖିଛି, ସେଥିରୁ କିଛି ବ୍ୟକ୍ତିଗତ ଅନୁଭୂତି ମୁଁ ଏଠାରେ ଆପଣମାନଙ୍କ ସମ୍ମୁଖରେ ରଖିବି। ପ୍ରଥମ, ଏହା ବିଶ୍ୱର ଏକମାତ୍ର ସନାତନ ମନ୍ଦିର ଯେଉଁଠି ଭାଇ-ଭଉଣୀ ଗର୍ଭଗୃହରେ ଏକାଠି ପୂଜା ପାଆନ୍ତି। ଅନ୍ୟ ଯେଉଁଠି ଦେଖିବେ ସେଇଠି ଠାକୁର ଏକା କିମ୍ବା ଅର୍ଦ୍ଧାଙ୍ଗୀନୀଙ୍କ ସହିତ ପୂଜା ପାଆନ୍ତି। ମୁଁ ଦେବୀ ସୁଭଦ୍ରାଙ୍କ ତାତ୍ୱିକ ମର୍ମକୁ ଯାଉନାହିଁ। ଜଣେ ସାଧାରଣ ଭକ୍ତଟିଏ ଯେପରି ଭାବେ ଜଗନ୍ନାଥ-ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖିଥାଏ, ମୁଁ ସେ ବିଷୟରେ ଉଲ୍ଲେଖ କରୁଛି। ଦ୍ୱିତୀୟ, ଜଗନ୍ନାଥ ସଂସ୍କୃତି ସମାନତା ଏବଂ ଏକାକାର ର ବାର୍ତ୍ତା ଦେଇଥାଏ। ଆମେ ଯେତେବେଳେ ପୁରୀ ଯାଉ, କହୁ, ‘ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯାଉଛୁ।‘ କିନ୍ତୁ, ମନ୍ଦିରର ମାଲିକ ତ ବଡ ଠାକୁର, ପ୍ରଭୁ ବଳଭଦ୍ର। କିନ୍ତୁ, ଯେତେବେଳେ ବାହାର କାଠ ପାଖରେ ଦର୍ଶନ କରିବେ, ଆପଣ ଦେଖିବେ ପ୍ରଭୁ ବଳଭଦ୍ରଙ୍କ ବାମ ପାର୍ଶ୍ୱ, ପ୍ରଭୁ ଜଗନ୍ନାଥଙ୍କ ଡାହାଣ ପାର୍ଶ୍ୱ ଏବଂ ପୂର୍ଣ୍ଣାଙ୍ଗ ଦର୍ଶନକରିବେ ମା’ ଜଗତଜନନୀ ମା’ ସୁଭଦ୍ରାଙ୍କ। ଅର୍ଥାତ, ମନ୍ଦିର ମାଲିକ ଜଣେ, ମନ୍ଦିର ଚିଲିଛି ଆଉଜଣଙ୍କ ନାଁରେ, ପୂର୍ଣ୍ଣାଙ୍ଗ ଦର୍ଶନ ହେଉଛି ଆଉ ଜଣଙ୍କର। ଏଠି, କେହି ବଡ ନୁହନ୍ତି, କେହି ସାନ ନୁହନ୍ତି। ସମସ୍ତେ ସମାନ, ସମସ୍ତେ ଏକ, ସମସ୍ତେ ଏକକାର। ତୃତୀୟ, ସାମାଜିକ ଓ ରାଜନୈତିକ ଜୀବନରେ ଆମେ ସବୁବେଳେ ମହିଳା ସଶକ୍ତିକରଣ କଥା କହିଥାଉ। କିନ୍ତୁ, ଏହି ବାର୍ତ୍ତା ତ ଜଗନ୍ନାଥ ସଂସ୍କୃତି ଆବାହମାନ କାଳରୁ ଦେଇ ଆସୁଅଛି। ଜଗନ୍ନାଥଙ୍କ ନିକଟରେ ଲାଗୁଥିବା ଧୂପ ଦେବୀ ବିମଳାଙ୍କ ପାଖରେ ଲାଗି ହେଲା ପରେ ହିଁ ମହାପ୍ରସାଦର ଆଖ୍ୟା ପାଇଥାଏ। ଏହାଠାରୁ ବଡ ନାରୀ ସମ୍ମାନ ଆଉ କ’ଣ ହୋଇପାରେ, ଯେଉଁଠି ସ୍ୱୟଂ ଜଗନ୍ନାଥ ନାରୀଶକ୍ତିକୁ ଉପାସନା କରିଥାନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚତୁର୍ଥରେ ଭକ୍ତ ଓ ଭଗବାନ ସମ୍ପର୍କର ଏକ ଅନନ୍ୟ ପ୍ରତୀକ ହେଉଛି ବଳି ମନ୍ଦିର। ଆମେ ସମସ୍ତେ ବେଢା ପରିକ୍ରମା କଲାବେଳେ, ଅଧାପୋତା ବଳିମନ୍ଦିରରେ ଆଉଜାଇ ନୀଳଚକ୍ର ଏବଂ ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିଥାଉ। ଏହାର ବହୁତ ତାତ୍ୱିକ ଅର୍ଥ ଥାଇ ପାରେ, କିନ୍ତୁ ଗୋଟିଏ ଉପାଖ୍ୟାନ ହେଉଛି ଯେତେବେଳ ପ୍ରଭୁ ନାରାୟଣ ମହାଦାନୀ ବଳିଙ୍କ ଠାରୁ ତିନି ପାଦରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଦାନ ସୂତ୍ରରେ ନେଇଗଲେ, ସେ ପ୍ରସନ୍ନ ହୋଇ ବଳିଙ୍କୁ ବର ଦେବା ପାଇଁ କହିଲେ। ବଳି ମହାରାଜ କହିଲେ, ଆପଣ ଯଦି ମୋତେ ବର ଦେବେ, ତେବେ ମୋର ଦ୍ୱାରପାଳ ହୋଇ ରୁହନ୍ତୁ, ଯାହାଦ୍ୱାରା ମୁଁ ଲକ୍ଷ୍ମୀ-ନାରାୟଣଙ୍କୁ ସବୁଦିନ ଦର୍ଶନ କରିବି। ଏହି ମନ୍ଦିର ହେଉଛି ସେହି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନାବିଳ ଭକ୍ତିର ପ୍ରତୀକ। ପଞ୍ଚମ, ବିଶ୍ୱବିଖ୍ୟାତ ରଥଯାତ୍ରା। ସେ ସମୟରେ କିଛି ସମ୍ପ୍ରଦାୟର ଲୋକଙ୍କୁ ମନ୍ଦିର ପ୍ରବେଶ ମନାଥିଲା। ଜଗନ୍ନାଥଙ୍କ ଅଗଣିତ ଭକ୍ତ ରତ୍ନବେଦୀରେ ଶ୍ରୀ ଜିୟୁ ମାନଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ। କେବଳ ପତିତପାବନଙ୍କୁ ଦର୍ଶନ କରି ନିଜର ମନ ବୁଝାଉଥିଲେ। କିନ୍ତୁ, ସେ ତ ଭକ୍ତ ବତ୍ସଳ, ଭକ୍ତର ଦାସ। ତେଣୁ ପତିତଜନଙ୍କୁ ଦର୍ଶନା ଦେବାପାଇଁ ନିଜେ ଭାଇ ଓ ଭଉଣୀଙ୍କୁ ଧରି ବଡଦାଣ୍ଡକୁ ଓହ୍ଲାଇ ଆସି ଦର୍ଶନ ଦେଲେ ଏବଂ ନାରଦ ପଞ୍ଚରାତ୍ର ରେ ଉଲ୍ଲେଖ ଅଛି ଯେ ରଥସ୍ଥଂ ବାମନଂଶ୍ଚୈବ ନିର୍ବାଣଂ ଦୃଷ୍ଟିମାତ୍ରତଃ। ଅର୍ଥାତ୍‌, ରଥରେ ବିରାଜମାନ କରିଥିବା ସମୟରେ ବାମନରୂପୀ ଜଗନ୍ନାଥଙ୍କୁ, ସଂକର୍ଷଣ ରୂପୀ ବଳଭଦ୍ରଙ୍କୁ ଓ ଭଦ୍ରଦାୟିନୀ ସୁଭଦ୍ରା ଦେବୀଙ୍କୁ ଯେଉଁମାନେ ସବାନ୍ଧବ ଦର୍ଶନ କରନ୍ତି, ସେମାନେ ନିଶ୍ଚିତ ଭାବରେ ବୈକୁଣ୍ଠ ପ୍ରାପ୍ତ ହୁଅନ୍ତି, ଦର୍ଶନ ମତରକେ ନିର୍ବାଣ ପ୍ରାପ୍ତି ହୋଇଥାନ୍ତି। ଷଷ୍ଠ, ଭାରତ ତଥା ବିଶ୍ୱରେ ଯେତେ ମନ୍ଦିର ଦେବାଳୟ ଅଛି, ଆପଣମାନେ ଅନ୍ୟ କେଉଁଠି ଏତେ ପ୍ରକାର ଭୋଗ ଲାଗି ହୁଏ ନାହିଁ। ବିଶେଷ ଭାବେ ଅନ୍ନ ଭୋଗ। କୁହାଯାଏ, ସନାତନ ପରମ୍ପରାରେ ଥିବା ଚାରିଗୋଟି ଧାମ ମଧ୍ୟରେ ପ୍ରଭୁ ବିଷ୍ଣୁ ବଦ୍ରିନାଥରେ ନିଦ୍ରା ତ୍ୟାଗ କରନ୍ତି, ଦ୍ୱାରିକାରେ ଶୃଙ୍ଗାର କରନ୍ତି, ପୁରୀ ରେ ଭୋଜନ ଗ୍ରହଣ କରନ୍ତି ଏବଂ ରାମେଶ୍ୱରରେ ନିଦ୍ରା ଯାଆନ୍ତି। ଏହା ହେଉଛି ପ୍ରତୀକାତ୍ମକ। ଏଥିପାଇଁ ଶ୍ରୀମନ୍ଦିରରେ ଛପନ ପଉଟି ଭୋଗ ଲାଗି ହୋଇଥାଏ ଯାହାକୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ଗ୍ରହଣ କରିଥାଆନ୍ତି। ସପ୍ତମରେ, ଶ୍ରୀମନ୍ଦିରର ଭାସ୍କର୍ଯ୍ୟ। ଏହା ବିଷୟରେ ବହୁତ କିଛି ଜାଣିଛୁ। ଶ୍ରୀମନ୍ଦିରର ଛାଇ ନଦିଶିବା, ବେଢା ବାହାରୁ ଯେଉଁ ଦିଗରୁ ଦେଖିଲେ ମଧ୍ୟ ନୀଳଚକ୍ର ଭକ୍ତକୁ ସିଧା ଦେଖାଯିବା, ପତିତପାବନ ବାନା ପବନର ବିପରୀତ ଦିଗକୁ ଉଡିବା କେବଳ ତାଙ୍କରି ମହିମାରୁ ହିଁ ସମ୍ଭବ ହୋଇଥାଏ। ଏହା ମଣିଷର ସାଧ୍ୟ ଭିତରେ ନୁହେଁ। ତାଙ୍କୁ କଳନା କରିବା ଅସମ୍ଭବ। ସେ ଅକଳନୀୟ ଆଉ ଅପରିସୀମ। ସେ କାମନାର କଳ୍ପବଟ। ସେ ଆମ ଅନ୍ତରାତ୍ମାର ଉନ୍ମୁକ୍ତ କବାଟ। ସେ ମାୟା, ସେ ଛାୟା ଓ ସେ ହିଁ କାୟା। ସେ ଭାବର ଯମୁନା ଓ ଚେତନାର ହିମାଳୟ। ସେ ଦୁଃଖର ସୂର୍ଯ୍ୟାସ୍ତ ଭିତରେ ଆଶା ଆଉ ଭରସାର ନୂଆ ସୂର୍ଯ୍ୟୋଦୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର କେବଳ ଦାୟିତ୍ୱ ନୁହେଁ, ଏହାର ପ୍ରଚାର ପ୍ରସାର ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ,ଏବଂ ସବୁଠାରୁ ବଡ ଦାୟିତ୍ୱ ନିଶ୍ଚିତ ଭାବେ ସରକାରଙ୍କ। ତେଣୁ, ଆମ ସରକାରଙ୍କ ପ୍ରଥମ କ୍‌ଯାବିନେଟରେ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ଏବଂ ତା ପରଦିନ ଅର୍ଥାତ ଜୁନ ୧୩ ତାରିଖ ଦିନ ଚାରିଦ୍ୱାର ଖୋଲିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଏହା ସହିତ, ଦିରଗଦିନ ହୋଇ ଗଣତି ମାନତି ନ ହୋଇ ରହିଥିବା ଭିତର ରତ୍ନ ଭଣ୍ଡାରକୁ ଖୋଲି ଏହାର ମରାମତି ଏବଂ ଗଣତି ମଣତି କାର୍ଯ୍ୟ ଚାଲୁ ରହିଛି। ସମସ୍ତେ ମନେ ରଖିବା ଉଚିତ, ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆବେଗ, ଗର୍ବ, ଗୌରବ ଏବଂ ଅଭିମାନ। ଆଜି ବି ଓଡ଼ିିଆ ଘରେ ଯେତେବେଳେ ବିବାହ, ବ୍ରତ ପରି ଶୁଭ କାର୍ଯ୍ୟହୁଏ, ପ୍ରଥମ ନିମନ୍ତ୍ରଣ ଜଗନ୍ନାଥଙ୍କ ପାଖକୁ ଯାଇଥାଏ। ଜଗନ୍ନାଥ ହେଉଛନ୍ତି ଆମର ଆବେଗ, ଆମର ଆସ୍ଥା। ଭୋଟ ରାଜନୀତି ନୁହେଁ। ସେ ଆମ ହୃଦୟର ଚିରନ୍ତନ ସମ୍ପତ୍ତି। ତମାମ ପତ୍ରଝଡାର ଅସହାୟତା ଭିତରେ ସେ ଆମ ପାଇଁ ଆଶ୍ୱସ୍ତିର ଫଗୁଣ। ପ୍ରଭୁଙ୍କୁ ଯେବେ ବି କେହି ସ୍ୱାର୍ଥର ସୁନେଲି ସ୍ୱପ୍ନ ପାଇଁ ରାଜନୀତିର ପଶାପାଲିରେ ଦାନା କରି ଗଡ଼େଇଛି, ସେ ନିଜେ ହିଁ ଅସ୍ତ ହେଇଯାଇଛି। ସେ ଅହଙ୍କାର ସହନ୍ତିନାହିଁ। ସେ ଏ ଜାତିର ଜନକ। ସେ ଆମ ସ୍ପନ୍ଦନ ଓ ଜୀବନର ପବିତ୍ର ପୁଲକ। ଆଉ ଗୋଟିଏ ବିଶେଷତ୍ୱ ହେଉଛି, ସାହାଣ ମେଲା ଦର୍ଶନ। ଅର୍ଥାତ, ଗଣ ଦର୍ଶନ, ବିନା ରୋକ୍ ଟୋକ୍ ରେ ପ୍ରଭୁଙ୍କୁ ଦର୍ଶନ କରିବା। କିନ୍ତୁ, ବଢୁଥିବା ଭକ୍ତଙ୍କ ସମାଗମ ଯୋଗୁଁ, ଏହି ଦର୍ଶନକୁ ଶୃଙ୍ଖଳିତ କରିବାର ସମୟ ଆସିଛି। ତେଣୁ ସରକାର ଶ୍ରୀଜଗନ୍ନାଥ ମନ୍ଦିରରେ ଶୃଙ୍ଖଳିତ ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି, ଏହା ଆଗମୀ ୨୦ ତାରିଖରୁ ଆପାତତଃ ଆରମ୍ଭ କରିବା ପାଇଁ ସ୍ଥିର କରାଯାଇଛି। ଆଶା କରୁଛି, ଅଗଣିତ ଭକ୍ତ ଏହା ଦ୍ୱାରା ସହଜରେ ଏବଂ ବିନା ଠେଲାପେଲା ଧସ୍ତା ଧସ୍ତିରେ ପ୍ରଭୁଙ୍କ ଦର୍ଶନ କରିପାରିବେ। ଆମ ସରକାର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ପ୍ରସାର ତଥା ବିକାଶ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ରୀତିନୀତି ତଥା ନୀତିକାନ୍ତିକୁ ସମ୍ମାନ ଜଣାଇ ଯାହାସବୁ ସଂସ୍କାର ଅଣାଯାଇ ପାରିବ, ଆମେ କରିବାକୁ ପ୍ରସ୍ତୁତ। ଏଥିପାଇଁ ସେବାୟତ, ଏହି ଦିଗରେ କାର୍ଯ୍ୟକରୁଥିବା ବିଭିନ୍ନ ଅନୁଷ୍ଠାନ, ଭକ୍ତ ସମସ୍ତଙ୍କର ସହଯୋଗ ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ଓ ଚେତନାକୁ ଦେଶ ବିଦେଶରେ ଆଦୃତ କରିବା ଲକ୍ଷ୍ୟରେ ଅନେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଜି ନିରନ୍ତର ପ୍ରଚେଷ୍ଟାରତ ଅଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ୨୦୦୮ରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ପ୍ରତିଷ୍ଠିତ ହୋଇ ଏ ଦିଗରେ ତା’ର ଉଦ୍ୟମ ଅବ୍ୟାହତ ରଖିଛି। ଆଜି ଏହି ପ୍ରତିଷ୍ଠାନ ଏକ ଜାତୀୟ ସ୍ତରର ଅନୁଷ୍ଠାନରେ ପରିଣତ ହୋଇଛି । ଏହାର କାର୍ଯ୍ୟକ୍ଷେତ୍ରକୁ ସମଗ୍ର ଭାରତ ବର୍ଷରେ ପ୍ରସାରିତ କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାରକୁ ଦେଶ ଭିତରେ ସୀମିତ ନରଖି ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ଏକ ଉପଯୁକ୍ତ କାର୍ଯ୍ୟକ୍ରମ। ଏହି ପ୍ରତିଷ୍ଠାନ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ସହିତ ସଂରକ୍ଷଣର ଦାୟିତ୍ୱ ମଧ୍ୟ ନେଇଛି। ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ବିଭିନ୍ନ ଗବେଷଣାତ୍ମକ ପୁସ୍ତକ ଓ ପତ୍ରିକା ପ୍ରକାଶନ ସହିତ ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ପାଣ୍ଡୁଲିପି ଓ ତାଳ ପତ୍ର ପୋଥି ଆଦିକୁ ସଂଗ୍ରହ କରି ସେଗୁଡିକର ସଂରକ୍ଷଣ କରୁଥିବା ଜାଣି ମୁଁ ବହୁତ୍ ଆନନ୍ଦିତ। ଏହି ତିନି ଦିନିଆ ମହୋତ୍ସବରେ ଆୟୋଜିତ କାର୍ଯ୍ୟକ୍ରମମାନ ଜନମାନସରେ ଜଗନ୍ନାଥ ସଂସ୍କୃତି ଓ ଚେତନାର ଜାଗରଣରେ ବ୍ୟାପକ ରୂପେ ସଫଳତା ହାସଲ କରିବ। ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ର, କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ବହୁ ଆନାଲୋଚିତ ତଥ୍ୟକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ ନିଶ୍ଚିତ ରୂପେ ସଚେତନ କରିବ ବୋଲି ମୋର ବିଶ୍ୱାସ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏ ମାଟିର ଅସ୍ମିତା ଓ ଏ ଜାତିର ଜୀବନଗାଥାରେ ସେ ସଦା ସର୍ବଦା ଅକୁଣ୍ଠ ପ୍ରେମ ଆଉ ଆଶୀର୍ବାଦର ଆଲଟ ଚାମର ହେଇ ଆମକୁ ମହିମାମଣ୍ଡିତ କରୁଥାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। 

Post Views: 68
Tags: International Sreejagannath Chetna Festival-2025
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In