ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଟ୍ୟାଙ୍କର୍ଗୁଡ଼ିକୁ ଟାର୍ଗେଟ କରାଯାଇଛି । ଭାରତ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରକାଶ କରିଛି । ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କୁ ଆକ୍ରମଣ ବିଷୟରେ ପଚରାଯିବାରୁ ସେ କହିଛନ୍ତି ସେ ଏପରି କୌଣସି ଘଟଣା ବିଷୟରେ ଜାଣି ନାହାନ୍ତି। ଭାରତ-ଇରାନ ସମ୍ପର୍କ ୫ ହଜାର ବର୍ଷ ପୁରୁଣା ।
ଦୁଇ ଦେଶ ଗଭୀର ସାଂସ୍କୃତିକ, ଶିକ୍ଷାଗତ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି। ଦୁଇଦେଶ ମଧ୍ୟରେ ସମ୍ପର୍କ ବହୁତ ମଜବୁତ। ଆଲୋଚନା ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ହେବ। ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥିର ଭାବରେ ବୃଦ୍ଧି ପାଉଛି। ଇରାନ ଯୁଦ୍ଧ ଚାହୁଁନାହିଁ, ବରଂ ଶାନ୍ତି ଚାହୁଁଛି। ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ସଫଳ ବୋଲି ବର୍ଣ୍ଣନା କରି ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ଭଲ ବୁଝାମଣା ରହିଥିବା କହିଛନ୍ତି।
ଓମାନ ନିକଟସ୍ଥ ହର୍ମୁଜ୍ ପ୍ରଣାଳୀ ନିକଟରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଉପରେ ଗୁଳିଚାଳନା କରାଯାଇଥିଲା। ଜଗ୍ ଅର୍ଣ୍ଣଭ ଏବଂ ସାନମାର ହେରାଲ୍ଡ ନାମକ ଟ୍ୟାଙ୍କର୍ ଇରାକୀୟ ତୈଳ ବୋଝେଇ କରି ଭାରତ ମୁହାଁ ହୋଇଥିଲେ। ଭାରତ ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ଇରାନ ରାଷ୍ଟ୍ରଦୂତଙ୍କୁ ଡକାଇ ଔପଚାରିକ ପ୍ରତିବାଦ ଜଣାଇଛନ୍ତି । ଇରାନ ରାଷ୍ଟ୍ରଦୂତ ଡକ୍ଟର ମହମ୍ମଦ ଫଥାଲିଙ୍କୁ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଡକାଯାଇଥିଲା ।
