ଭୁବନେଶ୍ବର: ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିଛି । ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ଵର୍ଷା ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଵର୍ଷା ନେଇ ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ପବନ ଘଣ୍ଟା ପ୍ରତି ବେଗ 40 ରୁ 50 କିଲୋମିଟର ଏବଂ ଆଉ କିଛି ସ୍ଥାନରେ 30ରୁ 40 କିମି ରହିପାରେ । ଓଡ଼ିଶାର ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଆସନ୍ତାକାଲି (ମେ’ 7) 16ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବର୍ଷା ହେବ । ସେହିପରି ପ୍ରଚଣ୍ଡ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
