ପୁରୀ (ଭିଓଭି): ଭକ୍ତ ଗହଳି ରେ ଉଛୁଳି ଉଠିଥିଲା ବଡଦାଣ୍ଡ। ତୁହାକୁ ତୁହା ବର୍ଷାକୁ ଖାତିର ନ କରି ବର୍ଷାସିକ୍ତ ବଡଦାଣ୍ଡରେ ଭକ୍ତି ଆଉ ଭାବର ମହାମିଳନରେ ଉଦଣ୍ଡ ନୃତ୍ୟ କରୁଥିଲେ ଭକ୍ତ। ରଥାରୁଢ଼ ହୋଇ ସାରିଥିଲେ ଚକ୍ରରାଜ ସୁଦର୍ଶନ, ମହାପ୍ରଭୁ ବଡ ଠାକୁର ଏବଂ ମା ସୁଭଦ୍ରା। ଅପେକ୍ଷା ଥିଲା କାଳିଆ ସାଆନ୍ତଙ୍କୁ। ବଡ ଦାଣ୍ଡରୁ ଭକ୍ତ ଅପଲକ ନୟନରେ ଚାହିଁ ରହିଥିଲେ ସିଂହଦ୍ଵାର ଗୁମୁଟକୁ। କେତେବେଳେ ଟାହିଆ ହଲାଇ ଝୁଲି ଝୁଲି ବଡ ଦାଣ୍ଡକୁ ଓହ୍ଲାଇବେ ବ୍ରହ୍ମାଣ୍ଡ ଠାକୁର। ହେଲେ ଏ କି ଦୃଶ୍ୟ! ବାଇଶି ପାହାଚରୁ ବଡ ଦାଣ୍ଡକୁ ଓହ୍ଲାଇଲେ ବ୍ରହ୍ମାଣ୍ଡ ଠାକୁର ହେଲେ ବିନା ଟାହିଆରେ। ଏତେ ସବୁ ପୂର୍ଣ୍ଣତା ଭିତରେ ବି ଯେମିତି ଶୂନ୍ୟ ଲାଗୁଥିଲା ସବୁ।
ଟାହିଆ ମହାପ୍ରଭୁଙ୍କ ପହଣ୍ଡି ବିଜେ ର ଏକ ଅତୀବ ଆକର୍ଷଣୀୟ ଉପାଦାନ। ଟାହିଆ ହଲାଇ ଝୁଲି ଝୁଲି ରାଜକୀୟ ଠାଣି କୁ ଦେଖି ବିମୁଗ୍ଧ ହୋଇଯାନ୍ତି ବିଶ୍ୱବାସୀ, ବିଭୋର ହୋଇଯାଏ ଭକ୍ତ ମନ। ହେଲେ ଏଥର ବିନା ଟାହିଆରେ ମହାପ୍ରଭୁ ଙ୍କ ପହଣ୍ଡି ହୋଇ ରଥାରୁଢ଼ ହେବା ଭକ୍ତ ମନରେ ସୃଷ୍ଟି କରିଥିଲା ଏକ ବିରାଟ ଶୂନ୍ୟସ୍ଥାନ। ପହଣ୍ଡି ବେଳେ ସେନାପଟା ବନ୍ଧାରେ ତ୍ରୁଟି ଯୋଗୁଁ ଶ୍ରୀମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ମସ୍ତକରୁ ଟାହିଆ ଖସି ତଳେ ପଡିଥିଲା ବୋଲି କେତେକ ସେବାୟତ ପ୍ରକାଶ କରିଛନ୍ତି। ତଳେ ପଡିଯିବା ପରେ ତାହା ଆଉ ପୁନର୍ବାର ଲାଗି କରାଯାଏ ନାହିଁ। ଟାହିଆ ନଥିବାରୁ ଠାକୁରଙ୍କୁ ପହଣ୍ଡି ହୋଇ ଆସିବାକୁ ସୁବିଧା ହେଲା ବୋଲି ନିଜ ଦୋଷ ଘୋଡ଼ାଇବାକୁ ଯାଇ କିଛି ସେବାୟତ ଅଲାଜୁକ ମୁହଁରେ ଗଣ ମାଧ୍ୟମ ଆଗରେ କହୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି
