ଭୁବନେଶ୍ବର: ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଆଗାମୀ ୫-୭ ଦିନ ଲାଗି ରହିବ ବର୍ଷା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ସର୍ବାଧିକ କେନ୍ଦୁଝର ଜିଲ୍ଲାର ସୋମପାଟଣାଠାରେ ୭୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଏଥିସହ ଜାଣି ରଖନ୍ତୁ ଯେ, ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ସଲଗ୍ନ ଦକ୍ଷିଣ-ପୂବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କାରଣରୁ ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ଆଜି ମଧ୍ୟ ଏକାଧିକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୪ଟି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ବର୍ଷା ହୋଇପାରେ । ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ଆକଳନ କରିଛି ପାଣିପାଗ କେନ୍ଦ୍ର।

ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ସୃଷ୍ଟି ହେବ ଲୋପ୍ରେସର। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ। କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣବଙ୍ଗୋପସାଗରର ଉପରେ ଏହା ଡିପ୍ରେସନର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆକଳନ କରାଯାଇପାରିବ ବୋଲି କୁହାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
