ରଣପୁର, ୧୭/୧୦: ପାର୍ବଣର ଆନନ୍ଦରେ ଉତ୍ସବମୁଖର ହୋଇଉଠିଛି ସମଗ୍ର ରଣପୁର ଅଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଗାଁଠୁ ସହର ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶନିବାର ରଣପୁରର ପ୍ରମୁଖ ଶକ୍ତିପୀଠ ମା’ ମଣିନାଗ, ମା’ ଖିଲାମୁଣ୍ଡା ଓ ମା’ ବିମଳାଙ୍କ ପୀଠ ସମେତ ବିଭିନ୍ନ ଦୁର୍ଗା ମଣ୍ଡପରେ ମହାସମାରୋହରେ ମହାସପ୍ତମୀ ପୂଜା ପାଳିତ ହୋଇଯାଇଛି।
ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ପୀଠ ଓ ରାଜବାଟୀ ପରିସରରେ ଚାଲିଥିବା ଷୋଳପୂଜା ଓ ନବରାତ୍ରି ପୂଜା ଅଞ୍ଚଳର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଛି। ରାଜବାଟୀ ସମ୍ମୁଖସ୍ଥ ପୁରାତନ ଦୁର୍ଗା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।
ସେହିପରି ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା’ ବିମଳାଙ୍କ ମନ୍ଦିରରେ ମଧ୍ୟ ମହାସପ୍ତମୀ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ଗୌରାଙ୍ଗପୁର, ବ୍ରଜରାଜପୁର ଓ ଦର୍ପନାରାୟଣପୁରର ଦୁର୍ଗା ମଣ୍ଡପଗୁଡ଼ିକରେ ମଧ୍ୟ ପୂଜାର୍ଚ୍ଚନା ସହ ପାର୍ବଣର ଉତ୍ସାହ ଦେଖିବାକୁ ମିଳିଛି।
ମା’ ଖିଲାମୁଣ୍ଡାଙ୍କ ରାଜବାଟୀ ଆଗମନ ଏବଂ ମା’ ମଣିନାଗଙ୍କ ପୀଠରେ ଷୋଳପୂଜା ଓ ନବରାତ୍ରି ଆରମ୍ଭରୁ ରଣପୁର ଅଞ୍ଚଳରେ ପାର୍ବଣର ମାହୋଲ ସୃଷ୍ଟି ହୋଇଛି। ମହାସପ୍ତମୀ ଅବସରରେ ବିଭିନ୍ନ ପୀଠ ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଛକ, ବଜାର ଓ ରାସ୍ତାଘାଟ ମଧ୍ୟ ଲୋକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଛି।
