ବାଲିପାଟଣା ଅଞ୍ଚଳରେ ଚାଲିଥିଲା ଏକ ବଡ଼ଧରଣର ଖାଦ୍ୟ ଜାଲିଆତି। ବର୍ଷ ବର୍ଷ ଧରି ମିଆଦ ସରିଯାଇଥିବା (Expired) ବିଭିନ୍ନ ଦାମୀ କମ୍ପାନୀର ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରକୁ ଛାଡୁଥିଲେ ଅସାଧୁ ବ୍ୟବସାୟୀ। ଶନିବାର ସ୍ଥାନୀୟ ଲୋକଙ୍କ ସତର୍କତା ଯୋଗୁଁ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ ହୋଇଛି। ବାଲିପାଟଣା ପୁଲିସ ଏହି ମାମଲାରେ ଘଟଣାର ମୁଖ୍ୟ କାର୍ପଟାଦାର କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ବାଲିପାଟଣା ଛକ ଠାରେ ରହୁଥିବା କୃଷ୍ଣ ଚନ୍ଦ୍ର ସାହୁ ଦୀର୍ଘ ଦିନ ହେଲା ଏହି ଅବୈଧ କାରବାର ଚଳାଇ ଆସୁଥିଲେ। ଶ
ନିବାର ସକାଳେ ଏକ ଆଇଚର ଗାଡିରେ ବିପୁଳ ପରିମାଣର ବିସ୍କୁଟ କୃଷ୍ଣଙ୍କ ଘରେ ଖାଲି କରାଯାଉଥିଲା ।କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ଉପୁଜିବାରୁ ସେମାନେ ଏହାକୁ ବିରୋଧ କରିବା ସହ ପୋଲିସକୁ ଜଣାଇଥିଲେ।ପୁଲିସ ଆସୁଥିବା ଖବର ପାଇ ଅଭିଯୁକ୍ତମାନେ ତତ୍କ୍ଷଣାତ୍ ବିସ୍କୁଟ ବୋଝେଇ ଟ୍ରକକୁ ନେଇ ଗାରେଡିପାଞ୍ଚଣ ନିକଟସ୍ଥ ଏକ ଜଙ୍ଗଲିଆ ଅଞ୍ଚଳରେ ଥିବା ଇଟା ଭାଟି ରାସ୍ତା ଆଡ଼କୁ ଫେରାର ହୋଇଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ପିଛା କରି ଉକ୍ତ ଟ୍ରକକୁ ଜବତ କରିବା ସହ ତିନି ଜଣଙ୍କୁ କାବୁ କରିଛି।ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଖେଳ ଖେଳୁଥିବା ଏହି ରାକେଟର ଜାଲ କେତେ ଦୂର ବ୍ୟାପିଛି, ତାହାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି।ଏତେ ବଡ଼ ଖାଦ୍ୟ ନିରାପତ୍ତା ଜନିତ ଅବହେଳା ସତ୍ତ୍ୱେ ଖବର ପାଇ କୌଣସି ଯୋଗାଣ ଅଧିକାରୀ କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ମାମଲାରେ ବିଭାଗୀୟ ଅଧିକାରୀଙ୍କ ଏଭଳି ଉଦାସୀନତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
