• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇସିଏଚଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ବୈଠକ

by Voice of Victims
January 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇସିଏଚଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ବୈଠକ

ଭୁବନେଶ୍ଵର: ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇସିଏଚଆର), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇସିଏଚଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଆଲୋଚନା କାଳରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୁର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ। ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ଏହି କ୍ରମରେ ଶ୍ରୀ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’(Research Project) ଆରମ୍ଭ କରିବା ପାଇଁ ଆଇସିଏଚଆରର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି । ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ବୀରତ୍ୱର ସହ ଲଢ଼ିବା ସହ  ଜାତୀୟ ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ । ସମ୍ବଲପୁର ଅଞ୍ଚଳରେ ସୁରେନ୍ଦ୍ର ସାଏଙ୍କ ୧୮୨୭ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଓଡ଼ିଶାର ପ୍ରତିରୋଧ ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଯେତେବେଳେ ୧୮୪୯ ମସିହାରେ ସମ୍ବଲପୁରକୁ ଇଂରେଜମାନେ “ଡକ୍ଟ୍ରିନ ଅଫ୍ ଲାପସ୍” ଅଧୀନରେ ଅକ୍ତିଆର କରିଥିଲେ ସେତେବେଳେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ୧୮୫୭ ମସିହାରେ ସମ୍ବଲପୁରର ବିଦ୍ରୋହ ମୁଖ୍ୟତଃ ଏକ ଜନଜାତି ବିଦ୍ରୋହ ଥିଲା ଯେଉଁଥିରେ ଘେଁସ, କୋଲାବିରା, , ପାହାଡ଼ଶ୍ରୀଗିଡ଼ା, ମଚିଦା, କୁଡ଼ାବଗା, ଲାଇଡା, ଲୋଇସିଂହା, ଲଖନପୁର, ଭେଡେନ, ପାଟକୁଲୁଣ୍ଡା ଆଦି ଜମିଦାର ଏବଂ ତାଙ୍କ ପରିବାର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ । ଏହି ସମର୍ଥକମାନେ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । ସେମାନେ ଏହି ଅଞ୍ଚଳର ଜନଜାତି ଓ ଜମିଦାରମାନଙ୍କୁ ଏକାଠି କରିଥିଲେ ଏବଂ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରି ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରିଥିଲେ । ଏହି ବିଦ୍ରୋହ ସମୟରେ ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂର କୁଦୋପାଲି ଘାଟିରେ ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଜଣ ସଂଗ୍ରାମୀଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିଲା ।  ଇଂରେଜମାନେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୀର ଛବିଳ ସାଏ, ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଳବିରାର କରୁଣାକର ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର ନାଏକ ଶହୀଦ ହୋଇଥିଲେ । ଏହାସହ  ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ୫ ଜଣ ଯୋଦ୍ଧା ବଳଭଦ୍ର ଦାସ, ପାତ୍ରପାଲିର ଗଉନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଲମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ ଏବଂ ବୁଦ୍ଧୁ ଗଣ୍ଡ ଏବଂ ଅନେକ ସଂଗ୍ରାମୀଗଣ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏହି ବିଦ୍ରୋହରେ ଅନେକ ବୀର ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ନିଷ୍ଠୁର ଓ ବର୍ବରତା ଶକ୍ତି ବିରୋଧରେ ଲଢେଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ତେବେ ଏହି ବୀର ସଂଗ୍ରାମୀଙ୍କ ବୀରଗାଥାର କାହାଣୀକୁ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ନଥିବାରୁ ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରେ ଅଜଣା ଏବ ଅନାଲୋଚିତ । ତେଣୁ ପଶ୍ଚିମ ଓଡ଼ିଶାର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କ ଇତିହାସ ଓ ସେମାନଙ୍କ ଭୂମିକା ଏବଂ ଜାତୀୟ ଆନ୍ଦୋଳନ ଉପରେ ସେମାନଙ୍କ ଉପରେ ପଡିଥିବା ପ୍ରଭାବ ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବା ପାଇଁ ମତ ରଖିଥିଲେ  ।

Post Views: 64
Tags: Meeting between ICHR
Share200Tweet125Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In