ରଣପୁର, ୩/୫ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନମ୍ବର ୱାର୍ଡ ଦାଣ୍ଡସାହିର ସନ୍ତୋଷ ପ୍ରହରାଜଙ୍କ ପୁଅ ଲଳିତ ପ୍ରହରାଜ (ମଣ୍ଟୁ)ଙ୍କ ଗତ ଅପ୍ରେଲ ମାସ ୧୨ ତାରିଖରେ ଘଟିଥିବା ଦୁର୍ଭାଗ୍ୟଜନକ ଗ୍ୟାସ ଲିକ ଘଟଣାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅପ୍ରେଲ ୨୪ ତାରିଖରେ ମୃତ୍ୟୁ ହୋଇଥିଲା | ଆଜି ଆଜି ତାଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚୁ ଦୋଳ ପଡିଆସ୍ଥିତ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା। ସ୍ବର୍ଗତ ମଣ୍ଟୁଙ୍କ ପ୍ରିୟ ସାଥିମାନଙ୍କ ଉଦ୍ୟମରେ ଆୟୋଜିତ ଏହି ସଭାରେ ପ୍ରଥମେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭା ଆରମ୍ଭ ହୋଇଥିଲା।

ପରେ ଉପସ୍ଥିତ ଅତିଥିମାନେ ମଣ୍ଟୁଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଓ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିକୁ ସ୍ମରଣ କରିଥିଲେ। ଏହି ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ସମାଜସେବୀ ତ୍ରିନାଥ ବିଶ୍ୱାଳ, ଯୁବ ନେତା ଲିଙ୍ଗରାଜ ନାୟକ, ରାଜେଶ ପଟ୍ଟନାୟକ, ସତ୍ୟବାନ ସାହୁ ଓ ମନୋଜ କୁମାର ମହାପାତ୍ରଙ୍କ ସମେତ ଅନେକ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସାଥିସଙ୍ଗୀ ଉପସ୍ଥିତ ଥିଲେ।
ସଭାରେ ଉପସ୍ଥିତ ବକ୍ତାମାନେ ସ୍ବର୍ଗତ ମଣ୍ଟୁଙ୍କ ସରଳ ଓ ସହୃଦୟ ବ୍ୟକ୍ତିତ୍ୱକୁ ସ୍ମରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ। ସେମାନେ ତାଙ୍କର ଅକାଳ ବିୟୋଗକୁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଶେଷରେ ସମସ୍ତେ ମିଳି ମଣ୍ଟୁଙ୍କ ଆତ୍ମାର ଶାନ୍ତି କାମନା କରିଥିଲେ।
