ଅପରାଧିକ କାର୍ଯ୍ୟକଳାପ ପାଇଁ ଓଡିଶାର ବିଭିନ୍ନ ଜେଲ୍ (କାରାଗାର) ରେ ଅନେକ ବନ୍ଦୀ ଜୀବନ ବିତାଉଛନ୍ତି । ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ବିଚାର ପ୍ରକିୟା ଚାଲିବା (ଟଦ୍ଭୟରକ୍ସଗ୍ଧକ୍ସସବକ୍ଷ) ଦ୍ୱାରା ଅଟକ ଥିବା କିମ୍ବା ଦୋଷୀ ସାବ୍ୟସ୍ତ ହେଇ (ଉକ୍ଟଦ୍ଭଙ୍ଖସମଗ୍ଧଗ୍ଦ) କଏଦ୍ ବା ବନ୍ଦୀ ଜୀବନ ବିତାଉଥିବା ଏହି ଦୁଇ ପ୍ରକାର ର ଅନେକ କଏଦି ଅଛନ୍ତି ।ରାଜ୍ୟ ସରକାର ଙ୍କ ୱେବ ସାଇଟ୍ ରେ ଜେଲ୍ ବିଭାଗ ର ଅକ୍ଟୋବର ମାସ ତଥ୍ୟ ଅନୁସାରେ ରାଜ୍ୟରେ ବିଭିନ୍ନ ପ୍ରକାରର ୮୭ ଟି ଜେଲ୍ (କାରାଗାର) ରହିଛି । ସେଗୁଡିକ ଯଥାକ୍ରମେ ସର୍କଲ ଜେଲ୍, ଜିଲ୍ଲା ଜେଲ୍, ସ୍ୱତନ୍ତ୍ର ଜେଲ୍, ସ୍ୱତନ୍ତ୍ର ସବ୍ ଜେଲ୍ ଓ ସବ୍ ଜେଲ୍ ନାମରେ ନାମିତ । ଓଡିଶାର କାରାଗାର ତଥ୍ୟକୁ ଅନୁଶୀଳନ କଲେ ଜଣାପଡେ ଯେ ରାଜ୍ୟରେ ସାତଟି ସର୍କଲ ଜେଲ୍, ସତରଟି ଜିଲ୍ଲା ଜେଲ୍, ପାଞ୍ଚଟି ସ୍ପେଶାଲ୍ (ସ୍ୱତନ୍ତ୍ର) ଜେଲ୍, ଦୁଇଟି ସ୍ପେଶାଲ ସବ୍ ଜେଲ୍ (ସ୍ୱତନ୍ତ୍ର ଉପ କାରାଗାର) ଏବଂ ଛପନଟି ସବ୍ ଜେଲ୍ (ଉପ କାରାଗାର) ଅଛି । ଏ ସମସ୍ତ ଜେଲ୍ ରେ କ୍ଷମତା ଅନୁଯାୟୀ ୨୧୫୩୯ ପୁରୁଷ ବନ୍ଦୀ ଓ ୧୯୩୭ ଜଣ ମହିଳା ବନ୍ଦୀ ଏବଂ ସର୍ବମୋଟ ୨୩୪୭୬ ଜଣଙ୍କ ରହିବା ନିମନ୍ତେ ବ୍ୟବସ୍ଥା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ଜେଲ୍ ରେ କେଉଁଠି ଆବଶ୍ୟକୀୟ ସଂଖ୍ୟା ସହ ସମାନ ମାନେ ଫୁଲ୍ ବନ୍ଦୀ ଅଛନ୍ତି ତ କେଉଁଠି କ୍ଷମତା ଠାରୁ ଯଥେଷ୍ଟ ଅଧିକ ବନ୍ଦୀ ରହିଛନ୍ତି । ଏହାଦ୍ୱାରା ସେନାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ବନ୍ଦୀ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ଓଡ଼ିଶାରେ ଥିବା ବିଭିନ୍ନ ପ୍ରକାର ର ଜେଲ୍ ମଧ୍ୟରୁ ସମସ୍ତଙ୍କର ସ୍ଥିତି ଏଠାରେ ଉଲ୍ଲେଖ କରିବା ଅନାବଶ୍ୟକ କିନ୍ତୁ ପ୍ରମୁଖ କିଛି ଜେଲ୍ର ସ୍ଥିତି କୁ ପାଠକମାନଙ୍କ ଅବଗତି ନିମନ୍ତେ ଉଲ୍ଲେଖ କରୁଛୁ ।
ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରର ସମୁଦାୟ କ୍ଷମତା ୯୯୧ ଜଣ କିନ୍ତୁ ସେଠାରେ ୧୪୩୫ ଜଣ ଅନ୍ତେବାସୀ ଅଛନ୍ତି । ସେହିପରି ବ୍ରହ୍ମପୁର ସର୍କଲ୍ ଜେଲରେ ୯୧୪ ଜଣଙ୍କ ଜାଗାରେ ୯୪୪ ଜଣ ଅଛନ୍ତି । ଚୈାଦ୍ୱାର ସର୍କଲ ଜେଲରେ କିନ୍ତୁ ଧାର୍ଯ୍ୟ ମାପଦଣ୍ଡ ୧୧୫୬ ଜଣଙ୍କ ଠାରୁ କମ୍ ସଂଖ୍ୟକ କଏଦି ମାନେ ୧୦୯୯ ଜଣ ଅଛନ୍ତି ।
ସମ୍ବଲପୁର ଜିଲ୍ଲା କାରାଗାରରେ ୭୦୪ ଜଣଙ୍କ ଜାଗାରେ ୮୩୧ ଜଣ ଥିବା ବେଳେ ବାଲେଶ୍ୱର ଜିଲ୍ଲା କାରାଗାରରେ ୫୩୦ ଜଣଙ୍କ ଜାଗାରେ ୬୭୯ ଜଣ ଅଛନ୍ତି । ଭଦ୍ରକ ଜିଲ୍ଲା କାରାଗାରରେ ୨୦୧ ଜଣଙ୍କ ଜାଗାରେ ୨୯୫ ଜଣ ଅବସ୍ଥାନ କରୁଛନ୍ତି । ବଲାଙ୍ଗୀର ଜିଲ୍ଲା କାରାଗାରରେ ୩୯୨ ଜଣ ଜାଗାରେ ୪୩୭ଜଣ ରହୁଛନ୍ତି । ଯାଜପୁର ଜିଲ୍ଲା କାରାଗାରରେ ୧୩୩ ଜଣଙ୍କ ପାଇଁ ବ୍ୟବସ୍ଥା ରହିଛି କିନ୍ତୁ ସେଠି ୨୦୭ ଜଣ ଅନ୍ତେବାସୀ ଅଛନ୍ତି । ଜଗତସିଂହପୁର ଜିଲ୍ଲା କାରାଗାର ରେ ୧୮୩ ଜଣଙ୍କ ସ୍ଥାନରେ ୧୮୫ଜଣ ଅଛନ୍ତି । ଝାରସୁଗୁଡ଼ା ଜିଲ୍ଲା କାରାଗାର ୩୨୪ ଜଣଙ୍କ ବ୍ୟବସ୍ଥାରେ ୩୮୦ ଜଣ ଅଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା କାରାଗାରରେ ୧୯୨ ଜଣଙ୍କ ଜାଗାରେ ୨୨୧ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା କାରାଗାରରେ ୨୫୮ ଜଣଙ୍କ ଜାଗାରେ ୩୧୨ ଜଣ ଅଛନ୍ତି । ମାଲକାନଗିରି ଜିଲ୍ଲା କାରାଗାର ରେ ୬୨୪ ଜଣଙ୍କ ଜାଗାରେ ୬୩୦ ଜଣ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ୪୨୯ ଜଣଙ୍କ ଜାଗାରେ ୪୩୭ ଜଣ ଅଛନ୍ତି ।
ଆନନ୍ଦପୁର ଉପ କାରାଗାର ରେ ୭୭ ଜଣଙ୍କ ଜାଗାରେ ୯୩ ଜଣ, ଆସ୍କା ଉପ କାରାଗାର ରେ ୧୫୦ ଜଣଙ୍କ ଜାଗାରେ ୧୬୬ ଜଣ ରହୁଛନ୍ତି । ବାଙ୍କି ସବ୍ ଜେଲ୍ ର କ୍ଷମତା ୨୨ ଜଣ ଥିବା ବେଳେ ସେଠି ୩୧ଜଣ ଅଛନ୍ତି । ଧର୍ମଗଡ ସବ୍ଜେଲ୍ରେ ୮୮ ଜଣଙ୍କ ଜାଗାରେ ୧୧୯ ଜଣ, ଗୁଣୁପୁର ସବ୍ ଜେଲ୍ ରେ ୧୧୦ ଜଣଙ୍କ ଜାଗାରେ ୧୪୧ ଜଣ ରହୁଛନ୍ତି । କାମାକ୍ଷାନଗର ସବ୍ଜେଲ୍ରେ ୬୯ ଜଣଙ୍କ ଜାଗାରେ ୯୫ ଜଣ, କରଞ୍ଜିଆ ସବ୍ ଜେଲ୍ ରେ ୧୨୫ ଜଣଙ୍କ ଜାଗାରେ ୧୪୪ ଜଣ ଅଛନ୍ତି । କୋଦଳା ସବ୍ ଜେଲ୍ ରେ ୨୦୫ ଜଣଙ୍କ ଜାଗାରେ ୨୨୯ ଜଣ, କୁଚିଣ୍ଡା ସବ୍ ଜେଲ୍ ରେ ୬୯ ଜଣଙ୍କ ଜାଗାରେ ୯୧ ଜଣ, ନୂଆପଡ଼ା ସବ୍ଜେଲ୍ରେ ୧୨୪ ଜଣଙ୍କ ଜାଗାରେ ୧୨୭ ଜଣ, ପାଟନାଗଡ ସବ୍ ଜେଲ୍ ରେ ୧୪୨ ଜଣଙ୍କ ଜାଗାରେ ୧୫୨ ଜଣ, ରେଢ଼ାଖୋଲ ସବ୍ଜେଲ୍ରେ ୫୯ ଜଣଙ୍କ ଜାଗାରେ ସମାନ ୫୯ ଜଣ ରହୁଛନ୍ତି । ରଣପୁର ଜୁଭେନାଇଲ୍ ସବ୍ଜେଲ୍ରେ ୩୦ ଜଣଙ୍କ ଜାଗାରେ ୩୫ ଜଣ, ରାୟଗଡ଼ା ସବ୍ଜେଲ୍ରେ ୧୪୬ ଜାଗାରେ ୧୭୦ ଜଣ ଏବେ ଅଛନ୍ତି ।
ଜେଲ୍ ବା କାରାଗାର ରେ ରହିବା କ୍ଷମତା ଠାରୁ ଯଥେଷ୍ଟ ଅଧିକ ବନ୍ଦୀ ରହିବାର ମୁଖ୍ୟ କାରଣ ହେଲା ଠିକଣା ସମୟ ରେ ସେମାନେ ବେଲ୍ (ଜାମିନ୍) ପାଇପାରୁ ନାହାନ୍ତି । ସଂଗୀନ ଅପରାଧିକ କାର୍ଯ୍ୟକଳାପ କାରଣ ପାଇଁ ହେଉ କି ବିଚାର ପ୍ରକ୍ରିୟା ରେ ବିଳମ୍ବ ପାଇଁ ହେଉ କି ମୁଦଲାମାନଙ୍କ ପରିବାର ର ଲୋକଙ୍କ ଅବହେଳା ପାଇଁ ହେଉ ଅବା ପୋଲିସ୍ର ତଦନ୍ତ ପ୍ରକିୟାରେ ଶିଥିଳ ଗତି ପାଇଁ ହେଉ ପରିଣାମ ସ୍ୱରୁପ ଆଜି ପ୍ରାୟ ଜେଲ୍ ଫୁଲ୍ ରହିଛି ।
ପ୍ରାୟ ଜେଲ୍ ଫୁଲ୍ ରହିବା ଦ୍ୱାରା ତା ଭିତରେ ବନ୍ଦୀ ଜୀବନ ବିତାଉଥିବା କଏଦିମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବେ ଆମେ ସେ ବିଷୟକୁ ଜାଉନାହୁଁ । କିନ୍ତୁ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ପାଇଁ ସରକାରଙ୍କ ତହବିଲ୍ରୁ ମୋଟା ଅର୍ଥ ଅପଚୟ ହେଉଛି ତାହା ହିଁ ବିଡ଼ମ୍ବନାର ବିଷୟ ଓ ଚିନ୍ତାଜନକ । ଗତବର୍ଷ ନଭେମ୍ବର ୨୬ ତାରିଖ ଜାତୀୟ ସମ୍ବିଧାନ ଦିବସ ପାଳନ ଦିନ ଉଚ୍ଚତମ ନ୍ୟାୟାଳୟରେ ଅଭିଭାଷଣ ଦେବା ସମୟ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ଏହି ସମ୍ବେଦନଶୀଳ ପ୍ରସଙ୍ଗ କୁ ଉଠାଇ ଭାବବିହ୍ୱଳ ହୋଇ ପଡିଥିଲେ । ଗରିବ ଲୋକ, ସାଧାରଣ ମଣିଷ ଓ ନିର୍ଦ୍ଦୋଷ ମଣିଷ କିଛି ବେଲ୍ ପାଇଲା ପରେବି ବିଭିନ୍ନ ଆଇନଗତ ପ୍ରତିବନ୍ଧକ ପାଇଁ ଜେଲର ଚାରିକାନ୍ଥ ଭିତରେ ସଢୁଥିବା ପ୍ରସଙ୍ଗ ଉଠାଇ ସେମାନଙ୍କୁ ସହାୟତା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସୁପ୍ରିମ୍କୋର୍ଟ ମଧ୍ୟ ତୁରନ୍ତ ପଦକ୍ଷେପ ସ୍ୱରୂପ ଦେଶର ସମସ୍ତ ଜେଲ୍ କୁ ଏହାର ତଥ୍ୟ ମାଗିବା ସହିତ ତ୍ୱରିତ ପଦକ୍ଷେପ ନେଇଥିଲେ । ଆଇନର ଗଳିଆ ବାଟରେ କେତେବେଳେ ଦୋଷୀ ଖସିଯାଉଥିବାବେଳେ ଅନ୍ୟ କେତେବେଳେ ବିନା ଦୋଷରେ ନିର୍ଦ୍ଧୋଷ ଲୋକ ଦଣ୍ଡ ପାଇ ଜେଲ୍ର ଚାରି କାନ୍ଥ ମଧ୍ୟରେ ସଢ଼ୁଛନ୍ତି ।
ବିଚାର ପ୍ରକ୍ରିୟା ତ୍ୱରିତ ହେବା ସହିତ ନିର୍ଦ୍ଦୋଷ ଲୋକ ଉଚିତ୍ ସମୟରେ ନ୍ୟାୟ ପାଇବା ଏକାନ୍ତ ବାଞ୍ଛନୀୟ । ରାଜ୍ୟର ଅନ୍ୟ ସବୁ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟି ଉନ୍ନତି ହେଉ ପଛକେ ଅପରାଧର ମାତ୍ରା କମିଯାଉ, ତାହା ହେଲେ ଜେଲ୍ର କ୍ଷମତା ଠାରୁ କମ୍ ସଂଖ୍ୟକ କଏଦି ସେଠାରେ ରହିବେ । ଯଦି ଅପରାଧର ମାତ୍ରା କମିଯିବ ତେବେ ଜେଲ୍ ବା କାରାଗାର ର କଳେବର ବୃଦ୍ଧି ହେବା ଯେ ଅନାବଶ୍ୟକ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ । ଆମ ଓଡ଼ିଶାରେ ଅପରାଧ କମିବା ସହ ଏବଂ ଜେଲ୍ ଫୁଲ୍ ନରହି ଫାଙ୍କା ରହୁ ଏହାହିଁ ଆମର ପ୍ରାର୍ଥନା ।
