ପୁରୀ : ଛାତ ଉପରୁ ନଜର ରଖିବେ NSG ସ୍ନାଇପର । ଏରିଆଲ ସର୍ଭେଲାନ୍ସକୁ ଦିଆଯିବ ଗୁରୁତ୍ବ । ଶୃଙ୍ଖଳିତ ରଥଯାତ୍ରା ନେଇ ପୁରୀ ପୌରସଦନରେ ବସିଥିବା ଶେଷ ରଥ ସମନ୍ବୟ ବୈଠକରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏଥର ଅଘଟଣ ଶୂନ୍ୟ ହେବ ରଥଯାତ୍ରା ।
ମାନବସମ୍ବଳ, ଇଣ୍ଟେଲିଜେନ୍ସି ଏବଂ ଇଲେକ୍ଟ୍ରୋନିକ୍ସର ସମ୍ମନ୍ବୟରେ ହେବ ରଥଯାତ୍ରା । ସୁରକ୍ଷା ପାଇଁ ଡ୍ରୋନ ଓ AI କ୍ୟାମେରାର ମଧ୍ୟ ବ୍ୟବସ୍ଥା କରାଯିବ । ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ପ୍ରତିବର୍ଷ ଭଳି ଏବର୍ଷ ବି ସ୍ବତନ୍ତ୍ର ଆୟୋଜନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡ଼କୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଟ୍ରାଫିକ ନିୟନ୍ତ୍ରଣ ସହ ଅଗ୍ନିଶମ ବିଭାଗକୁ ରଖାଯାଇଛି ସଜାଗ । ସମୁଦ୍ର କୂଳରେ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ମୁତୟନ କରାଯିବେ। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ୱାଚଟାୱାର ସହ ବଡ଼ଦାଣ୍ଡରେ ଥିବା ବଡ଼ ବଡ଼ ବିଲ୍ଡିଂ ବାଇନାକୁଲାର ବ୍ୟବସ୍ଥା କରାଯିବ । ଏହା ସହ ଆବଶ୍ୟକ ପଡିଲେ ଆକାଶମାର୍ଗରେ ହେଲିକପ୍ଟର ମାଧ୍ୟମରେ ମଧ୍ୟ ନଜର ରଖାଯିବ ।
ରଥଯାତ୍ରା, ସୁନାବେଶ ଏବଂ ବାହୁଡା ଦିନ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଡାଇରିଆ ରୋକିବାକୁ ଜିଲ୍ଲା ପ୍ରଶାସନକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
