ଇଚ୍ଛାମୃତ୍ୟୁ ଆବେଦନ ନେଇ ଆଜି ଆସିବ ସୁପ୍ରିମ ରାୟ । ଜଣେ ୩୧ ବର୍ଷୀୟ ଯୁବକଙ୍କ ପରିବାର ସହ ଆଲୋଚନା କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ । ଚିକିତ୍ସାର କୌଣସି ସୁଫଳ ମିଳୁନଥିବାରୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ତାଙ୍କ ପରିବାରବର୍ଗ । ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ବାପା, ମାଆ ବୟସ୍କ ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାର କୌଣସି ସୁଫଳ ମିଳୁନଥିବାରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଯୁକ୍ତି ଦର୍ଶାଇଥିଲେ ଯୁବକଙ୍କ ପରିବାର ।
ଜାନୁୟାରୀ ୧୩ ତାରିଖରେ ଯୁବକଙ୍କ ବାପାମା ଏବଂ ଭାଇଭଉଣୀଙ୍କୁ ଭେଟି ସ୍ଥିତି ନେଇ ଆଲୋଚନା କରିଥିଲେ ଉଭୟ ବିଚାରପତି । ଆଜି ଏହି ମାମଲାର ରାୟ ଆସିବ । ୨୦୧୩ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବିଟେକ୍ ପଢୁଥିବା ହରିଶ ରାଣା ଚତୁର୍ଥ ମହଲାରୁ ଖସି ପଡିଥିଲେ । ସେହିଦିନ ଠାରୁ ହରିଶ ଲାଇଫ ସପୋର୍ଟ ସିଷ୍ଟମ ସାହାଯ୍ୟରେ ବଞ୍ଚି ଆସୁଛନ୍ତି । ବହୁ ଚିକିତ୍ସା ପରେ ମଧ୍ୟ ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ । ୨୦୨୪ ମସିହାରେ ହରିଶଙ୍କ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ହରିଶଙ୍କ ପାଇଁ ଇଚ୍ଛାମୃତ୍ୟୁ ଆବେଦନ ହୋଇଥିଲା । ତେବେ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଖାରଜ କରିବା ପରେ ହରିଶଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପୂର୍ବରୁ ସୁପ୍ରିମକୋର୍ଟ ହରିଶଙ୍କ ଚିକିତ୍ସା ଓ ଯତ୍ନ ପାଇଁ ଅନ୍ୟ ବିକଳ୍ପ ସନ୍ଧାନ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେଥିରେ ମଧ୍ୟ କୌଣସି ସୁଫଳ ନମିଳିବା ଏବଂ ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ପରିବାରବର୍ଗ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ମେଡିକାଲ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ ବୋର୍ଡ ନିଜ ରିପୋର୍ଟ ଦାଖଲ କରିବା ପରେ ଜାନୁୟାରୀ ୧୩ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା । ତେବେ ରାୟ ଦେବା ପୂର୍ବରୁ ହରିଶଙ୍କ ପରିବାରକୁ ଭେଟିଛନ୍ତି ଦୁଇ ବିଚାରପତି।
