• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଷ୍ଟ୍ରପତି ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

by Voice of Victims
October 15, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଷ୍ଟ୍ରପତି ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର: ଚଳିତ  ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ୩  ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି  ପରିପ୍ରେକ୍ଷୀରେ  ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ଜିଲ୍ଲାପାଳ, ପୁରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ  ଯୋଗଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆଜି ସୁଦ୍ଧା ମିଳିଥିବା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୨୩ ତାରିଖ ସକାଳ ୯ ଟା ୨୫ ମି ରେ ରାଷ୍ଟ୍ରପତି  ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନବନ୍ଦରରୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ବାହାରି ସେଦିନ ପୂର୍ବାହ୍ନ ୯ ଟା ୫୫ ମି ରେ  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ହେଲିପ୍ୟାଡଠାରେ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ମାଧ୍ୟମରେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ  ପ୍ରକଳ୍ପର ଶିଳାନ୍ୟାସ କରିବେ। ବାଙ୍ଗିରିପୋଷି କାର୍ଯ୍ୟକ୍ରମ ପରେ ସେଦିନ ମଧ୍ୟାହ୍ନ ୧୨.୦୦ ଟାରେ ରାଷ୍ଟ୍ରପତି  ରଙ୍ଗମାଟିଆ ହେଲିପ୍ୟାଡରେ ଓଲ୍ଲାଇ ନିକଟସ୍ଥ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ  ପରିଦର୍ଶନ କରିବେ। ଦିନ ୧ ଟା ୧୦ ରୁ ୧ ଟା ୪୦ ମଧ୍ୟରେ ରାଷ୍ଟ୍ରପତି ଉପରବେଡା  ସ୍ଥିତ ଘରେ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିବେ। ରାଇରଙ୍ଗପୁରରେ ମଧ୍ୟାନ୍ନ ଭୋଜନ ପରେ ସେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଏଏଲଏସ୍  ଟ୍ରଷ୍ଟ ତରଫରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିବେ। ପରେ ପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ  ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ। ସଂଧ୍ୟାରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ନବ ନିର୍ମିତ ଶ୍ରୀ ଗଣେଶଙ୍କ  ପ୍ରତିମୂର୍ତ୍ତି ଅନାବରଣ କରିବେ ଏବଂ ସେଦିନ ସେ ରାଇରଙ୍ଗପୁରରେ ଅବସ୍ଥାନ କରିବେ। ୨୪ ତାରିଖ ସକାଳୁ ମାନ୍ୟବର ରାଷ୍ଟ୍ରପତି ରାଇରଙ୍ଗପୁରରୁ ବାହାରି ଦାଣ୍ଡବୋଷ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇ ୧୦.୪୫ ରେ  ତାଳବଣିଆସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ ଓ ଆରତୀ କରିବେ। ସେଦିନ ୧୨ ଟା ୧୦ ରେ ପୁରୀ ସ୍ଥିତ  ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ।  ଅପରାହ୍ଣରେ ଭୁବନେଶ୍ୱର ଫେରି ୪ ଟା ୧୫ ରେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱ ବିଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ସଂଧ୍ୟା ୬ଟାରେ ନବ ନିର୍ମିତ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ୨୪ ତାରିଖରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ ଏବଂ ୨୫ ତାରିଖ ସକାଳ ୯.୩୦ ରେ ନୀଳାଦ୍ରୀବିହାର ସ୍ଥିତ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିର ଅନାବରଣ କରିବେ। ପୂର୍ବାହ୍ନ ୧୦.୨୦ ରେ ସେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ରାୟପୁର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଅନୁଷ୍ଠିତ କରାଯିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରି ସଂପୃକ୍ତ ବିଭାଗୀୟର ସଚିବ ଓ ଅନୁଷ୍ଠାନମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବାରୁ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବାକୁ ଥିବାରୁ ତଦନୁସାରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, ସଡ଼କପଥରେ ଯାତ୍ରା ବେଳେ କାରକେଡ୍ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଆବଶ୍ୟକ ପାସ୍‌ ବ୍ୟବସ୍ଥା, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ମୟୁରଭଞ୍ଜ, ଜିଲ୍ଲାପାଳ ପୁରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ  କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଦ୍ୟାବଧି ପ୍ରାପ୍ତ ସୂଚନା ଅନୁସାରେ ସମସ୍ତ ପ୍ରସ୍ତୁତି କରିବାକୁ ବୈଠକରେ ସଂପୃକ୍ତ ସମସ୍ତ ବିଭାଗୀୟ ସଚିବ ଓ ଅନୁଷ୍ଠାନମାନଙ୍କୁ ଆବଶ୍ୟକ  ପ୍ରସ୍ତୁତି ଓ ତଦାରଖ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ  ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ।

Post Views: 43
Tags: President Murmu's visit to Odisha
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In