ରଣପୁର, ୨୦/୦୫ : ରଣପୁର ବିଜ୍ଞାପିତ ପରିଷଦ ଅଧୀନସ୍ଥ ତଳ ମଣିନାଗ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା, ମା’ଙ୍କ ଗର୍ଭଗୃହ ପ୍ରବେଶ ଓ ପଞ୍ଚଦିନାତ୍ମକ ଯଜ୍ଞ ଉତ୍ସବ ନେଇ ବୁଧବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ଡ଼. ପ୍ରଶାନ୍ତ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଯଜ୍ଞ ଉତ୍ସବର ସମସ୍ତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପିତ କରାଯାଇଥିଲା ।

ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆସନ୍ତା ଜୁନ ୨୦ ତାରିଖରେ ଅଙ୍କୁରାରୋପଣ ସହ ଉତ୍ସବର ଶୁଭାରମ୍ଭ ହେବ । ୨୧ ତାରିଖରେ ଭବ୍ୟ କଳସ ଯାତ୍ରା, ୨୨ ତାରିଖରେ ଗର୍ଭାଧାନ ନୀତି, ୨୩ ତାରିଖରେ ସ୍ନାନ, ଶୟନ ଓ କାଳରାତ୍ରି ପୂଜା ଏବଂ ୨୪ ତାରିଖରେ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ମା’ଙ୍କ ଗର୍ଭଗୃହ ପ୍ରବେଶ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ।

ପୂର୍ଣ୍ଣାହୁତି ଦିବସରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବାବେଳେ କାର୍ଯ୍ୟକ୍ରମକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସୂଚନା ମିଳିଛି । ଏହି ଧାର୍ମିକ ମହୋତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି ।

ସାମ୍ବାଦିକ ସମ୍ମିଳନୀରେ ପରେଶ ମିଶ୍ର, ଆଶିଷ କୁମାର ଦାଶ, ପ୍ରିୟବ୍ରତ ପ୍ରହରାଜ, ଉତ୍ତରାଣୀ ମିଶ୍ର, ରାଜେଶ ପଟ୍ଟନାୟକଙ୍କ ସହ ସାମ୍ବାଦିକ ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ । ମନ୍ଦିର କମିଟି ପକ୍ଷରୁ ରଣପୁର ଅଞ୍ଚଳବାସୀଙ୍କୁ ଏହି ଉତ୍ସବରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି ।
