ପୁରୀ (ଭିଓଭି): ଭୋଟର ମାନଙ୍କ ମଧ୍ୟରେ ମତଦାନ ପାଇଁ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରି ଚଳିତ ନିର୍ବାଚନରେ ଶୃଙ୍ଖଳିତ ମତଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ପୁରୀ ଜିଲ୍ଲାରେ ଜଗତସିଂହପୁର ଏବଂ ପୁରୀ ଲୋକସଭା ମଣ୍ଡଳୀ ମଧ୍ୟରୁ ଜଗତସିଂହପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୫୯୮ ଟି ବୁଥ ବା ମତଦାନ କେନ୍ଦ୍ର ରହିଅଛି । ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ୧୫୯୮ ଟି ମତଦାନ କେନ୍ଦ୍ର ମଧ୍ୟରୁ ୨୯୯ଟି ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ରଭାବେ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୨୪୬ ଟି ମତଦାନ କେନ୍ଦ୍ର କୁ ସଖି ବୁଥ ଭାବେ ପ୍ରସ୍ତୁତ କରାଯିବ । ଏହି ମତଦାନ କେନ୍ଦ୍ର ଗୁଡିକ କେବଳ ମହିଳା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ହେବ । ସେହିପରି ୧୩ଟି ମତଦାନ କେନ୍ଦ୍ର ପି.ଡବ୍ଲ୍ୟୁ.ଡି ବା ଭିନ୍ନକ୍ଷମ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ହେବ । ୧୮ ରୁ ୩୦ ବର୍ଷ ବୟସ୍କ ଯୁବ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କ ଦ୍ୱାରା୧୪ ଟି ମତଦାନ କେନ୍ଦ୍ର ପରିଚାଳିତ ହେବ । ଇକୋ ଫ୍ରେଣ୍ଡଲି ବା ପରିବେଶ ଉପଯୋଗୀ ବୁଥ ଭାବେ ୧୪ଟି ମତଦାନ କେନ୍ଦ୍ର ଏବଂ ଥିମ୍ ବେସ୍ ବା ବିଷୟ ଆଧାରିତ ବୁଥ ଭାବେ ୧୨ ଟି ମତଦାନ କେନ୍ଦ୍ର ରହିବ । ଏହି ଆଦର୍ଶ ମତଦାନ କେନ୍ଦ୍ର ଗୁଡିକ ସହିତ ଅନ୍ୟ ସମସ୍ତ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କ ପାଇଁ ସର୍ବନିମ୍ନ ବ୍ୟବସ୍ଥା ଉପଲବ୍ଧ ହେବ । ଏଥି ସହିତ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ସୁଇପ ବା ସିଷ୍ଟମେଟିକ ଭୋଟର ଏଜୁକେସନ ଆଣ୍ଡ ଇଲେକ୍ଟର୍ସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ସମସ୍ତ ଭୋଟର ମାନଙ୍କୁ ମତଦାନ ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଅଛି । ତେଣୁ ଚଳିତ ନିର୍ବାଚନରେ ମତଦାନ ହାର ପୂର୍ବ ଅପେକ୍ଷା ବୃଦ୍ଧି ପାଇବ ବୋଲି ଆଶା କରାଯାଉଅଛି ।
