ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ । ପଶ୍ଚିମବଙ୍ଗର ମଗ୍ରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର ମୋଟ ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏଥିରେ ମଗ୍ରାହାଟର ୧୧ଟି ଓ ଡାଇମଣ୍ଡ ହାର୍ବରର ୪ଟି ବୁଥ ରହିଛି । ଏହି ୧୫ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।
ଏପ୍ରିଲ ୨୯ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ବୁଥ୍ ଗୁଡ଼ିକରେ ଇଭିଏମ ଟ୍ୟାମ୍ପରିଂ, ବୁଥ୍ ଜାମିଂ ଏବଂ ଅନ୍ୟାନ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ବୋଲି କୁହାଯାଇଛି । ରିଟର୍ଣ୍ଣିଂ ଅଫିସର ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଏହି ବୁଥଗୁଡିକର ମତଦାନକୁ ଅସିଦ୍ଧ ଘୋଷଣା କରିବା ପରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୪ ତାରିଖରେ ପଶ୍ଚିମବଙ୍ଗରେ ଭୋଟ ଗଣତି ହେବ ।
