ସତ୍ୟବାଦୀ, (ଭିଓଭି): କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ (ବଡ ଏକାଦଶୀ) ଦର୍ଶନ ନିମନ୍ତେ ସାକ୍ଷୀଗୋପାଳ ଠାରେ ଭିଡ ନିୟନ୍ତ୍ରଣ ପାଇଁ କଲେଜ ଛକ ପଟୁ ଆସୁଥିବା ସମସ୍ତ ଚାରି ଚକିଆ ଯାନ ଗୁଡିକୁ ସାକ୍ଷୀ ଗୋପୀନାଥ ମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଲେବେଲ କ୍ରସିଂ ନିକଟରେ ଅଟକାଇ ଦିଆଯାଇ ଏକ ଖୋଲାପଡିଆରେ ପାର୍କିଂ କରାଯାଉଥିଲା। ସେଠାରେ କିଛି ଯୁବକ ପ୍ରତ୍ୟେକ ଗାଡି ମାନଙ୍କ ଠାରୁ ଜୋର୍ ଜବରଦସ୍ତ ଏକଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଟଙ୍କା ଆଦାୟ କରୁଥିବା ପ୍ରାୟ ସମସ୍ତ ଯୁବକ ନିଶାସକ୍ତ ଥିଲେ। ସେମାନେ ଯାତ୍ରୀ ମାନଙ୍କୁ ଅତି କଦର୍ଯ୍ୟ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା। ଏପରିକି ସାମ୍ବାଦିକ ପରିଚୟ ଦେବା ପରେ ବି ଛାଡ଼ିଲେ ନାହିଁ। ପାର୍କିଂ ପାଇଁ ଦେଉଥିବା ରସିଦରେ ଆଫରିନ୍ ଗ୍ରୁପ, ଅହମଦପୁର, ସାକ୍ଷୀଗୋପାଳ ବୋଲି ଲେଖା ଥିଲା।

ଗାଡି ପାର୍କିଂ ପରେ ଯାତ୍ରୀ/ଭକ୍ତ ମାନଙ୍କୁ ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ଜଣ ପିଛା ଦଶଟଙ୍କା ଲେଖାଏଁ ଦେବାକୁ ପଡିବ ବୋଲି କହି ଉକ୍ତ ଯୁବକ ମାନେ ଅଟୋରେ ବସାଇ ଦେଉଥିଲେ। ମାତ୍ର ମନ୍ଦିର ଠାରୁ କିଛି ଦୂରରେ ପହଁଞ୍ଚିବା ପରେ ଅଟୋ ଡ୍ରାଇଭର୍ ଦେଢଶହ ଟଙ୍କା ଦାବୀ କରି ଟଙ୍କା ନେଉଥିଲେ। ସେଠାରେ ମଧ୍ୟ କିଛି ନିଶାସକ୍ତ ଯୁବକ ଅଟୋ ଡ୍ରାଇଭର ମାନଙ୍କୁ ସହାୟତା କରୁଥିଲେ। ଏମିତି ଯାତ୍ରୀ ମାନଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରୁଥିବାର ଦେଖିବାକୁ ମିଳିଥିଲା। ସବୁଠାରୁ ବିଡମ୍ବନାର ବିଷୟ ହେଉଛି ସେଠାରେ ଡିଉଟିରେ ଥିବା ପୋଲିସ କର୍ମଚାରୀ ମାନେ ସବୁ ଦେଖି ବି ନଦେଖିବା ପରି ରହୁଥିଲେ। କିଛି ଭକ୍ତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଆଜି ତ ଗୋଟେ ଦିନ ସେମାନେ ନେବେ ବୋଲି କହି ପୁଲିସ ବାବୁ ମାନେ ସେମାନଙ୍କ ଅଭିଯୋଗକୁ ଏଡ଼ାଇ ଯାଇଥିଲେ। ଗୁଗଲ୍ ରୁ ସତ୍ୟବାଦୀ ଥାନା ନମ୍ବର ଖୋଜିଲେ ଯେଉଁ ନମ୍ବର ବାହାରୁଛି ତାହା ବି ଲାଗୁ ନଥାଏ। ତେଣୁ ଦୂର ଦୁରାନ୍ତରୁ ଠାକୁର ଦର୍ଶନ ପାଇଁ ପରିବାର ସହିତ ଆସିଥିବା ଭକ୍ତ ଟିଏ ସ୍ଥାନୀୟ ମଦ୍ୟପ ଯୁବକଙ୍କ ସହିତ ମୁହାମୁହିଁ ହେବା ଅପେକ୍ଷା ବାଧ୍ୟ ହୋଇ ସେମାନଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇ ଟଙ୍କା ଦେଇ ଦେଇ ଅସନ୍ତୋଷ ରେ ଫେରୁଥିବା ର ଦେଖିବାକୁ ମିଳୁଥିଲା।
