ପୁରୀ/ବ୍ରହ୍ମଗିରି(ଭିଓଭି): ବାଲି ମାଫିଆ ମାନେ ସରକାରୀ ଜମିରୁ ଦିନ ଦ୍ୱିପ୍ରହରରେ ବାଲି ତାଡି ନେଇ କୃତ୍ରିମ ନଦୀ ବନେଇ ସାରିଲେଣି, ହେଲେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଚାପମାଣିକ ପଂଚାୟତ ଅନ୍ତର୍ଗତ ସିପ ସରୁବାଲି ମୌଜାରେ। ବାଲି ହରଚଣ୍ଡି ନିକଟ ମୋଟ ଗ୍ରାମ ଆଦର୍ଶ ବିଦ୍ୟାଳୟ ଏବଂ କାଶିଝରିଆ ଗ୍ରାମ ମଧ୍ୟବର୍ତି ଅଂଚଳରେ ପ୍ରାୟ ୫୫ ଏକର ସରକାରୀ ଜମି ରହିଅଛି। ସେଥିମଧ୍ୟରୁ ପ୍ରାୟ ପାଂଚ ଏକର ଜମିରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଥିବା ବେଳେ ଅବଶିଷ୍ଟ ଜମିକୁ ଜମି ମାଫିଆ ମାନେ ନିଜ ନିଜ ମଧ୍ୟରେ ବାଂଟି ନେଇ ବର୍ତମାନ ସେହି ସବୁ ଜମିରୁ ବାଲି ତାଡ଼ି ବିକ୍ରି କରିବା ଆରମ୍ଭ କରି ଦେଲେଣି। ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରାକ୍ଟର ବାଲି ବୁହା ଚାଲିଛି। ଫଳରେ ଉକ୍ତ ଯାଗାରେ ଏକ ବିରାଟ ନଦୀ ଆକାରର ଗର୍ତ ସୃଷ୍ଟି ହୋଇ ଗଲାଣି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଜେସିବି ଏବଂ ଟ୍ରାକ୍ଟର ଲାଗି ଦିନରେ ଯେତିକି ବାଲି ବୁହା ଯାଉଛି ତାତିରେ ତାଠାରୁ ଅଧିକ ବାଲି ବୁହା ଯାଉଛି। ସାରା ରାତି ବାଲି ବୁହା ଚାଲିଛି। ବାଲି ତାଡି ନେଇ ମାଫିଆ ମାନେ ସେଠାରେ ଏକ ନଦୀ ବନେଇ ସାରିଲେଣୀ। ଉକ୍ତ ସ୍ଥାନ ଯାଉଁ, ଆକାଶିଆ କାଜୁ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ମାଫିଆ ମାନେ ସେହି ସବୁ ଗଛ କାଟିନେବା ପରେ ସେଠାରୁ ବାଲି ତାଡି ନେଉଛନ୍ତି। ଏହା ଦ୍ୱାରା ପରିବେଶ ସନ୍ତୁଳନ ନଷ୍ଟ ହେବା ସହିତ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବାର ବହୁ ଆଶଙ୍କା ଦେଖା ଦେଲାଣି। ବାଲି ମାଫିଆ ମାନେ ସ୍ଥାନୀୟ ଅଂଚଳର ଗୁଣ୍ଡା ଶ୍ରେଣୀୟ ହୋଇଥିବାରୁ ନିଜ ଜୀବନ ଭୟରେ ସାଧାରଣ ଲୋକ ମାନେ ସେମାନଙ୍କୁ କିଛି କହିବାକୁ ସାହସ କରୁନାହାନ୍ତି। ମାତ୍ର ସ୍ଥାନୀୟ ପୋଲିସ୍, ରାଜସ୍ୱ ନିରିକ୍ଷକ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ ସବୁ ଜାଣିକି ବି କିଛି ନଜାଣିଲା ଭଳି ବିଭିନ୍ନ ବାହାନା ଦେଖାଇ ଚୁପ୍ ରହୁଛନ୍ତି। ଏପରି ବାଲି ଚୋରୀକୁ ଯଦି ତୁରନ୍ତ ରୋକା ନଯାଏ ତେବେ ପରବର୍ତୀ ସମୟରେ ଏକ ବିରାଟ ପରିବେଶ ଅସନ୍ତୁଳନ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ତରନ୍ତ ଉକ୍ତ ଜମିରୁ ବାଲି ଚୋରୀକୁ ବନ୍ଦ କରାଯାଇ ସେଠାରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

