• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜୀଉ: ସୁନାବେଶ ଦେଖି ଭକ୍ତ ବିଭୋର

by Voice of Victims
July 17, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜୀଉ: ସୁନାବେଶ ଦେଖି ଭକ୍ତ ବିଭୋର

ଭୁବନେଶ୍ୱର : ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ହେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ମହାପ୍ରଭୁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ଼ ପାବନଧାମ ପୁରୀ ସ୍ଥିତ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ନିମନ୍ତେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା ।
ଅପରାହ୍ନ ୪ଟା ୪୫ରୁ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସାହାଯ୍ୟ କରିଥିଲେ । ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଜି ଦ୍ୱିପ୍ରହର ଧୂପ (ଶୁଖିଲି ଭୋଗ) ପରେ ଠାକୁର ମାନଙ୍କୁ ମଇଲମ କରାଯାଇଥିଲା । ମଇଲମ ପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୋଇଥିଲେ ଚତୁର୍ଦ୍ଧାମୂରତି । ପରେ ଫୁଟାଲାଗି (ଟାଇଟ୍ ବସ୍ତ୍ର ପରିଧାନ) ହୋଇଥିଲେ । ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥିଲା । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଆଦି ସମ୍ପାଦନା ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥିଲେ । ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇଥିଲେ । ତିନି ଠାକୁର ଧାରଣ କରିଥିଲେ ଭିନ୍ନ ଭିନ୍ନ ଅଳଙ୍କାର । କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ୱର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଅସ୍ଥାୟୀ ଭଣ୍ଡାର ଗୃହରୁ ବା ଚାଙ୍ଗୁଡ଼ି ଘରରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକମାନେ, ମାଜିଷ୍ଟ୍ରେଟ, ପୁଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥିଲେ । ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯାଇଥିଲା । ମହାବାହୁ ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୋଇଥିଲେ । ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି କରାଯାଇଥିଲା ।
ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ ମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତ ବର୍ଗର ଭକ୍ତଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାର ଠାରେ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇପଡୁଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ମନଲୋଭା ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିଲା । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ପଡ଼ିଥିଲା । ସୁନାବେଶ ଦର୍ଶନ ପାଇଁ ଭକ୍ତ ମାନେ ଯେପରି କୌଣସି ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା । ଏଥି ସହ ଭକ୍ତମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଥିଲା । ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା ହୋଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ନନ୍ଦିଘୋଷ ରଥ ବାମପାର୍ଶ୍ୱରୁ ରଥ ଆଗ ଦେଇ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ଛାଡ଼ି ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱରେ ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିଲା । ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସଂଯୋଗ ରାସ୍ତାକୁ ମଧ୍ୟ ପୁଲିସ ପ୍ରଶାସନ ଦ୍ୱାରା ସିଲ୍ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଥିଲା ।

ପୌରାଣିକ କଥାବସ୍ତୁ ଅନୁଯାଇ :
ରାଜା ଅନଙ୍ଗଭୀମଦେବ ଓଡ଼ିଆଙ୍କ ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରିଥିଲେ । ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣା କରି ରାଜଭିଷେକ ମଧ୍ୟ କରିଥିଲେ । ଏହି ଲାବଣ୍ୟମୟ ସୁବର୍ଣ୍ଣ ବେଶ କେବେ ଠାରୁ ଆରମ୍ଭ ହେଲା, ତାହା ଠିକ୍ ଭାବେ କହିବା କଷ୍ଟକର । ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶକୁ ସର୍ବଧର୍ମ, ସର୍ବମତବାଦର ଜନସାଧାରଣ ଓ ଭକ୍ତଗଣ ଆନନ୍ଦରେ ଦର୍ଶନ କରିଥାନ୍ତି । ସେଥିପାଇଁ ଏହିଦିନ ରଥଯାତ୍ରା ଭଳି ଶ୍ରୀକ୍ଷେତ୍ରରେ ଗହଳି ଲାଗିଥାଏ । ରଥ ଉପରେ ହେଉଥିବା ସୁନାବେଶର ନାମ ହେଉଛି ବଡ଼ତଢାଉ ବେଶ । ବଡ଼ତଢାଉ ବେଶ ସମ୍ପର୍କରେ ଜଣାଯାଏ, ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ଜୟଦୁର୍ଗାଙ୍କ କୃପାରୁ ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ଗଜପତି ମହାରାଜାଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ଆଗ୍ରହ ଲକ୍ଷ୍ୟକରି ବଡ଼ତଢାଉ ସେବକ ଶ୍ରୀଛାମୁରେ ଜଣାଇଥିଲେ ଯେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବର୍ଷକ ମଧ୍ୟରେ ହେଉଥିବା ସକଳ ବେଶକୁ ସମସ୍ତ ବର୍ଗର ଲୋକେ ଦର୍ଶନ କରିପାରୁନାହାନ୍ତି । ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ବାହୁଡ଼ାଦିନ ରଥତ୍ରୟ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତା’ ପରଦିନ ରଥ ଉପରେ ଠାକୁର ମାନଙ୍କୁ ସର୍ବ ସମ୍ମୁଖରେ ସୁନାବେଶରେ ସୁସଜ୍ଜିତ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ । ବଡ଼ତଢାଉ ସେବକଙ୍କ ଅନୁରୋଧ କ୍ରମେ ସେହିଦିନ ଠାରୁ ରାଜା କପିଳେନ୍ଦ୍ରଦେବ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଠାକୁର ମାନଙ୍କୁ ରଥ ଉପରେ ବଡ଼ ଏକାଦଶୀ ଦିନ ଚିତ୍ତାକର୍ଷକ ସୁନାବେଶ କରାଇଥିଲେ । ତେଣୁ ଏହି ସୁନାବେଶ ବଡ଼ତଢାଉ ବେଶ ନାମରେ ବିଦିତ ହୋଇଆସୁଛି ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In