ଭୁବନେଶ୍ୱର: ଇସ୍ରାଏଲରୁ ଗାଁକୁ ଫେରିଲେ ୬ଜଣ ଓଡ଼ିଆ ଛାତ୍ର । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତିରେ ଓଡ଼ିଶା ଫେରିଛନ୍ତି ଇସ୍ରାଏଲରେ ରହି ପାଠ ପଢ଼ୁଥିବା ଛାତ୍ର । ସେଠାରେ କିପରି ରହିଥିଲେ ? ଏବଂ ଯୁଦ୍ଧ ସମୟରେ କେଉଁଭଳି ଭୟଭୀତ ଅବସ୍ଥାରେ ଜୀବନ କାଟୁଥିଲେ ? ସେସବୁ ଗୋଟି ଗୋଟି କରି କହିଛନ୍ତି ।
ତେବେ ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତକୁ ଫେରାଇ ଆଣିବା ପାଇଁ ଭାରତୀୟ ଦୂତବାସର ପ୍ରଚେଷ୍ଟାରେ ଫେରିଛନ୍ତି ଓଡ଼ିଆ ଶିକ୍ଷାର୍ଥୀ । ପ୍ରଥମେ ଇସ୍ରାଏଲରୁ ଦିଲ୍ଲୀ ଓ ପରେ ଭୁବନେଶ୍ୱର ଫେରିଛନ୍ତି । ନିଜ ଜନ୍ମମାଟିକୁ ଫେରିବା ପରେ ସେଠାକାର ସ୍ଥିତି ବଖାଣିଛନ୍ତି ଇସ୍ରାଏଲ ଫେରନ୍ତା ଛାତ୍ର ।

ପ୍ରତି ସମୟରେ ଶୁଭୁଥିଲା ବୋମାମାଡର ଶବ୍ଦ । ନିଜ ସୁରକ୍ଷାକୁ ନେଇ ଡର ଲାଗୁଥିଲା । ଏ ଜୀବନ ରହିବକି ନାହିଁ ଆଶା ଆଶଙ୍କାରେ କଟୁଥିଲା ଦିନ । ଏହାରି ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା ।
ପ୍ରାୟ ୪ ଟି ବାସ ସାହାଯ୍ୟରେ ଇସ୍ରାଏଲ ବର୍ଡର ପର୍ଯ୍ୟନ୍ତ ଆସିଲୁ । ଆଉ ସେଠାରୁ ସ୍ଵତନ୍ତ୍ର ବିମାନ ସାହାଯ୍ୟରେ ଦିଲ୍ଲୀ ଫେରିଲୁ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା । ଏପରିକି ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରହିବା ତଥା ଓଡ଼ିଶା ଫେରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଘରେ ସୁରକ୍ଷିତ ପହଞ୍ଚିବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସମସ୍ତ ଇସ୍ରାଏଲ ଫେରନ୍ତା ।
