ଜଗତପୁର: ପବିତ୍ର କାର୍ତ୍ତିକ ମାସ ଅବସରରେ ଆଜି ଜଗତପୁରସ୍ଥିତ ଅପନା-ଘର ଆଶ୍ରମଠାରେ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ‘ଜଗନ୍ନାଥ କଥାମୃତ’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟବକ୍ତା ଭାବେ ମାନସ ରଞ୍ଜନ ସିଂହ ଯୋଗଦେଇ ଜଗନ୍ନାଥ ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଓ ମହାପ୍ରଭୁଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଏଠାରେ ସଂକୀର୍ତ୍ତନ ସହ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଆଶ୍ରମରେ ରହୁଥିବା ପ୍ରାୟ ୧୦୦ ଜଣ ମାନସିକ ରୋଗରେ ପୀଡ଼ିତ ଅନ୍ତେବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
କ୍ଲବର ସଭାପତି ରୋଟାରିଆନ୍ ଜ୍ୟୋତି ରଞ୍ଜନ ଲେଙ୍କା, ରୋଟାରିଆନ୍ ବିଶ୍ୱଜିତ ସେନାପତି ଓ ଶୁଭ୍ରା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଅପନା-ଘର ଆଶ୍ରମର ପରିଚାଳନା କମିଟିର ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା। କ୍ଲବର ଅନ୍ୟାନ୍ୟ ରୋଟାରିଆନ୍ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ପରିବେଶକୁ ଅଧିକ ଭକ୍ତିମୟ ଓ ଆଧ୍ୟାତ୍ମିକ କରି ଗଢ଼ି ତୋଳିଥିଲା। ଏହି ଆୟୋଜନ ମାଧ୍ୟମରେ ଆଧ୍ୟାତ୍ମିକ ଚେତନାର ପ୍ରସାର ସହ ଆଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ଆନନ୍ଦ ଓ ଆତ୍ମୀୟତାର ଭାବ ସୃଷ୍ଟି କରିବାକୁ କ୍ଲବ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଥିଲା।
